ଖୋର୍ଦ୍ଧା : ଫାଇଲେରିଆ ନିରାକରଣ ଓ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ନେଇ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗଣମାଧ୍ୟମ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Advertisment

ଆଜି ଅପରାହ୍ଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଶ୍ୱରଂଜନ ପତି ଅଧ୍ୟକ୍ଷତା କରିଥିଲେ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପତି କହିଥିଲେ ଯେ ଏହି ନିରାକରଣ ଅଭିଯାନ ଫେବ୍ରୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ରାଜ୍ୟର ୮ଟି ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ରହିଛି । ଏହି ୧୦ ଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଓ ୧୦ଟି ବ୍ଲକ, ୨ଟି ପୌରାଂଚଳ ଓ ୨ଟି ଏନ୍ଏସିର ୨୩ଲକ୍ଷ ୭୯ ହଜାର  ୨୨୦ ଜନସାଧାରଣଙ୍କ ମଧ୍ୟରୁ ୨୨ ଲକ୍ଷ ୭୨ହଜାର ୯୧୪ଜଣଙ୍କୁ ଏହି ଔଷଧ ପ୍ରଦାନ କରାଯିବ । ଏଥିପାଇଁ ୫୨ଲକ୍ଷ ୯୨ହଜାର ଡିଇସି ଓ ୨୨ଲକ୍ଷ ୭୨ ହଜାର ଆଲବେନଡେଜଲ ବଟିକା ଆସି ପହଂଚିଛି । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ଅତ୍ୟଧିକ ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡ଼ି ଅନ୍ୟମାନେ ଏହି ଔଷଧ ସେବନ କରିପାରିବେ ।

ଏହି ବଟିକା ବଂଟନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟାଧିକାରୀ ଡା ଜୀବନ୍ତ ଆଚାର୍ଯ୍ୟ କହିଥିଲେ ଯେ ଏଥିପାଇଁ ୪୪୩୪ଜଣ ଔଷଧ ପ୍ରଦାନକାରୀ ନିୟୋଜିତ ହେବେ । ୨୦୨ଟି ସବସେଣ୍ଟର ସହ ୪୪୪ ଜଣ ନିରୀକ୍ଷକ ନିୟୋଜିତ ହେବେ ।

ଏହି ଗଣମାଧ୍ୟମ ସଚେତନତା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି, ସ୍ୱାସ୍ଥ୍ୟାଧିକାରୀ ଡା ପ୍ରଶାନ୍ତ କୁମାର ଦାଶ, ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର, ସହକାରୀ ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର ଓ ଅଧିକାରୀ-କର୍ମଚାରୀମାନେ ଉପସ୍ଥିତ ଥିଲେ ।