ଅଂଶୁଘାତ ମୁକାବିଲା : ନଳକୂପ ମରାମତି ପାଇଁ ପ୍ରତିବ୍ଲକରେ ରହିବ ୨ଟି ମୋବାଇଲ୍ ଭ୍ୟାନ୍

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଳାର ଗ୍ରାମାଂଚଳରେ ଥିବା ନଳକୂପଗୁଡ଼ିକରେ ମରାମତି ପାଇଁ ପ୍ରତି ବ୍ଲକରେ ଆବଶ୍ୟକ ଯନ୍ତ୍ରପାତି ଓ ଯାନ୍ତ୍ରିକଙ୍କ ସହ ୨ଟି ମୋବାଇଲ୍ ଭ୍ୟାନ୍ ନିୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଂଶୁଘାତ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ଉପଜିଲ୍ଲାପାଳ ଓ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଦୁଇଟି କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ରହିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନିୟନ୍ତ୍ରଣ ଓ ଆଶୁ ଚିକିତ୍ସା କକ୍ଷ ରହିବ । ଏଥିରେ ଔଷଧ, ସାଲାଇନ୍, ଓଆର୍ଏସ୍ ପ୍ୟାକେଟ୍, ବରଫ ଆଦି ମହଜୁଦ ରଖାଯିବ ।
ସେହିଭଳି ପାନୀୟ ଜଳ ଯୋଗାଣ ସମ୍ପର୍କରେ ସୂଚନା ଦେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଥିଲେ ଯେ ଯେଉଁ ଗ୍ରାମାଂଚଳରେ ନଳକୂପ, ପାଇପ୍ ଜଳ ଆଦିର ବ୍ୟବସ୍ଥା ନାହିଁ । ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦିଆଯିବ । ଜିଲ୍ଲାରେ ୧୫୭୮୯ଟି ନଳକୂପ ସଚଳ ଅଛି । ଏହା ସହ ୪୪୭ଟି ଗ୍ରାମକୁ ପାଇପଯୋଗେ ପାନୀୟ ଜଳ ଯୋଗାଣ ହେଉଛି । ନଳକୂପଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ଆବଶ୍ୟକ ମାନବସମ୍ବଳ ଓ ଯନ୍ତ୍ରପାତି ସହ ପ୍ରତି ବ୍ଲକରେ ୨ଟି ମୋବାଇଲ୍ ଭ୍ୟାନ୍ ରହିବ । ସହରାଂଚଳର ପ୍ରତି ଛକ ଓ ଜନଗହଳି ସ୍ଥାନ, ପଂଚାୟତ ମୁଖ୍ୟାଳୟ ଆଦିରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯିବ । ଏହାସହ ଗୋରୁଗାଈ ଓ ପଶୁମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।
ସେସୁର ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ କହିଥିଲେ ଯେ ଗ୍ରୀଷ୍ମଋତୁରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ ପାଇଁ ବିଭାଗ ପ୍ରସ୍ତୁତ ରହିଛି । ଗ୍ରିଡ୍, ଟ୍ରାନ୍ସଫର୍ମର ଆଦିର ଆବଶ୍ୟକ ମରାମତି କରାଯିବ ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରିଲ୍ ଠାରୁ ୩ ମାସ ଶ୍ରମିକଙ୍କୁ ପୂର୍ବାହ୍ଣ ସାଢ଼େ ଏଗାର ଠାରୁ ସାଢ଼େ ୩ଟା ଯାଏଁ କାର୍ଯ୍ୟ କରିବା ଉପରେ କଟକଣା, ବସ୍ଚଳାଚଳ ନିୟନ୍ତ୍ରଣ ଉପରେ ବ୍ୟବସ୍ଥା କରାଯିବ । ଏନେଇ ଶ୍ରମ ବିଭାଗ ଆବଶ୍ୟକ ପଦକ୍ଷେପ ନେବେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ ଆଶୋକ କୁମାର ବେଉରିଆ, ଉପଜିଲ୍ଳାପାଳ (ଭୁବନେଶ୍ୱର) ଦେବବ୍ରତ ସାହୁ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ପୌର ପରିଷଦ ଓ ଏନ୍ଏସିର ନିର୍ବାହୀ ଅଧିକାରୀ ଓ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଡେପୁଟି ଜିଲ୍ଲାପାଳ ବଳରାମ ବାଗ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର