ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ଗୁପ୍ତେଶ୍ବର ପୀଠ, ଜାରି ରହିଛି ବିକାଶ କାର୍ଯ୍ୟ

ସୌନ୍ଦର୍ଯ୍ୟକରଣ ଏବଂ ସଂପ୍ରସାରଣ ପାଇଁ ଜରୁରୀ ବୈଠକ ଅନୁଷ୍ଠିତ

ବୈପାରିଗୁଡା: କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରର ସୌନ୍ଦର୍ଯ୍ୟକରଣ ଏବଂ ସଂପ୍ରସାରଣ ପାଇଁ ଏକ ଜରୁରୀ ବୈଠକର ଆୟୋଜନ କରାଯାଇଥିଲା। ଗୁପ୍ତେଶ୍ୱର ଡାକବଙ୍ଗଳା ଠାରେ ଆୟୋଜିତ ଏହି ବୈଠକରେ ଗୁପ୍ତେଶ୍ୱର ପୀଠକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈପାରିଗୁଡା ଠାରୁ ଗୁପ୍ତେଶ୍ୱର ଯାଏ ରାସ୍ତାର ଦୋହରୀକରଣ ଚାଲିଥିବା ବେଳେ ବିଶେଷ କରି ଡୋକ୍ରି ଘାଟିକୁ ସମତଳ କରିବା କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି। ମନ୍ଦିର ସାମ୍ନାରେ ରହିଥିବା ଅସ୍ଥାୟୀ ଦୋକାନ ସବୁକୁ ଉଠାଇ ନିଆଯିବା ସହ ସେହି ସ୍ଥାନକୁ ସଂପ୍ରସାରଣ କରିବା ସହ ସୌନ୍ଦର୍ଯ୍ୟକରଣ କରାଯିବ। ରାସ୍ତାକୁ ସଂପ୍ରସାରଣ କରିବା ସହ ଡ୍ରେନ ନିର୍ମାଣ କରାଯିବ। ଗୁପ୍ତେଶ୍ୱର ପ୍ରବେଶ ସ୍ଥାନରେ ଷ୍ଟଲ ନିର୍ମାଣ କରାଯାଇ ଅସ୍ଥାୟୀ ଦୋକାନ ଦେଇଥିବା ଦୋକାନୀ ମାନଙ୍କୁ ଅଗ୍ରାଧୀକାର ଭିତ୍ତିରେ ଷ୍ଟଲ୍ ପ୍ରଦାନ କରାଯିବ।

ତେବେ ଦୋକାନୀ ମାନଙ୍କ ଅନୁରୋଧକ୍ରମେ କାର୍ତ୍ତିକ ପୂର୍ଣ୍ଣିମା ପରେ ଉଚ୍ଛେଦ କରାଯିବା ପାଇଁ ସ୍ଥିର କରାଯାଇଛି। ପ୍ରବେଶ ସ୍ଥାନରେ ଜାଗା ଚିହ୍ନଟ କରାଯାଇ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ପାନୀୟ ଜଳ ଏବଂ ବିଜୁଳି ଆଲୁଅ ୨୪ ଘଣ୍ଟା ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭିକାରି ମାନଙ୍କ ଥଇଥାନ ସହ ପାର୍କ ନିର୍ମାଣ ସମ୍ପର୍କରେ ମଧ୍ୟ ଚିନ୍ତା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଜୟପୁର ତହସିଲଦାର ଟୁଲି ଆମ୍ମା ପ୍ରଧାନଙ୍କ ସମେତ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ବୈପାରିଗୁଡା ସହକାରୀ ଯନ୍ତ୍ରୀ ଉପସ୍ଥିତ ରହିଥିଲେ। ଗୁପ୍ତେଶ୍ୱର କ୍ରିୟାନୁଷ୍ଠାନ କମିଟି ତରଫରୁ ନରେନ୍ଦ୍ର କାନ୍ଦଲିଆ, ଗୁରୁ ଦୁରୁଆ, ସହଦେବ ଦୁରୁଆ, ପୁଶାକ ଦୁରୁଆ, ମଧୁ ହନ୍ତାଳ ତଥା ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର