୧୦ମ ଓ ୧୨ଶ ଶ୍ରେଣୀ ପାଇଁ ପାଠପଢ଼ା ଚାଲୁ କରିବାକୁ ବୈଠକ

ଖୋର୍ଦ୍ଧା : କରୋନା ମହାମାରୀ ବର୍ତମାନ ନିୟନ୍ତ୍ରଣରେ ରହିଛି । ୨୦୨୦-୨୧ ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଛି । ଦୀର୍ଘ ୯ ମାସ ଧରି ସ୍କୁଲରେ ପ୍ରତ୍ୟକ୍ଷ ପାଠପଢ଼ା ବନ୍ଦ ରହିଥିଲା । ବର୍ତମାନ ୧୦ ଓ ଦ୍ୱାଦଶ ଶ୍ରେଣୀ ଚାଲୁ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଏହି କ୍ରମରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୱସୱାନ୍ ହଲ୍ରେ ଅନୁଷ୍ଠିତ ଏହି ବୈଠକରେ ଓସେପା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଯୋଗ ଦେଇ ବିଭିନ୍ନ ବ୍ଲକର ବିଡିଓ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ । ହାଇସ୍କୁଲର ପରିସରକୁ ପରିଷ୍କାର ରଖିବା, ପାନୀୟ ଜଳ, ଶୌଚାଳୟ ଆଦିର ସାନିଟାଇଜେସନ୍, ମରାମତି ଆଦି କରିବାକୁ କହିଥିଲେ । ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେଲେ ମାସ୍କ ପିନ୍ଧିବା, ସାବୁନ୍ରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏନେଇ ସମ୍ପୃକ୍ତ ସ୍କୁଲ ଶିକ୍ଷକ ବିଦ୍ୟାଳୟ ପରିିଚାଳନା କମିଟି ସହ ଆଲୋଚନା କରି ଛାତ୍ର ଓ ଅଭିଭାବକଙ୍କୁ ସଚେତନ କରାଇବାକୁ କହିଥିଲେ । ହାଇସ୍କୁଲ ସହ ହୋଷ୍ଟେଲ୍ଗୁଡ଼ିକ ଖୋଲିଥିବାରୁ ହୋଷ୍ଟେଲ ଗୁଡ଼ିକୁ ସାନିଟାଇଜେସନ୍, ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକ ପରେ ନିଦେ୍ର୍ଦଶକ ଶ୍ରୀ ପୁନିଆ ବୋଲଗଡ଼ ଓ ବେଗୁନିଆ ବ୍ଲକର କେତେକ ହାଇସ୍କୁଲ ବୁଲି ଦେଖିଥିଲେ ।
ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଥିଲେ ଯେ ସ୍କୁଲ ଖୋଲାଯିବାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରାଯିବା ଜରୁରୀ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ କଂଟ୍ରୋଲ୍ ରୁମ୍ ଖୋଲାଯିବାକୁ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର ପ୍ରତି ସ୍କୁଲରେ ଆଇସୋଲେସନ୍ ରୁମ୍, ବିଦ୍ୟାଳୟ କମିଟି ସହ ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅନୁଜ କୁମାର ଦାସପଟ୍ଟନାୟକ, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ସ୍ୱାସ୍ଥ୍ୟାଧିକାରୀ ଡା ଜୀବନ୍ତ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ଲକର ଶିକ୍ଷାଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର