ପୂର୍ବତଟ ରେଳବାଇ ଶ୍ରମିକ ସଂଘ ପକ୍ଷରୁ ପ୍ରତିବାଦ ସଭା ଓ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ରେତଙ୍ଗ ଠାରେ ଥିବା ରେଳବାଇ ଚିକିତ୍ସାଳୟକୁ ବନ୍ଦ କରିବା ପ୍ରତିବାଦରେ ପୂର୍ବତଟ ରେଳବାଇ ଶ୍ରମିକ ସଂଘ ପକ୍ଷରୁ ଆଜି ଖୋର୍ଦ୍ଧା ମଣ୍ଡଳ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିବାଦ ସମ୍ପର୍କରେ ସୂଚନା ଦେଇ ସଂଗଠନର ଆଂଚଳିକ ସଂଯୋଜକ ରଂଜିତ କୁମାର ଦାସ କହିଛନ୍ତି ଯେ ଏହି ହସ୍ପିଟାଲ୍ ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧୀନରେ କାମ କରୁଥିବା ୭୦୦ କର୍ମଚାରୀଙ୍କ ପରିବାର ନିର୍ଭର କରୁଥିଲେ। ବର୍ତ୍ତମାନ ଏହାକୁ ବନ୍ଦ କରି ଦିଆଯାଇଛି। କେବଳ ଏହାନୁହେଁ ମଣ୍ଡଳ ମୁଖ୍ୟ ଚିକିତ୍ସାଳୟରେ ୨୦ଟି ଶଯ୍ୟାକୁ ହ୍ରାସ କରି ଏହାକୁ କେନ୍ଦ୍ରୀୟ ହସ୍ପିଟାଲ୍‌ରେ ମିଶାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହା ହେବା ଦ୍ୱାରା କର୍ମଚାରୀ ଓ ସେମାନଙ୍କ ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହେବେ। ବିକ୍ଷୋଭ ପରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଭୁବନେଶ୍ୱର ଷ୍ଟେସନ ନିକଟରେ ଏକ ରେଳବାଇ ଚିକିତ୍ସାଳୟ ପ୍ରତିଷ୍ଠା, ଆପତ୍କାଳୀନ ପରିସ୍ଥିତିରେ ଘରୋଇ ହସ୍ପିଟାଲ୍‌ରେ ସଂପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା, ଉନ୍ନତମାନର ଔଷଧ ଯୋଗାଣ, ମଧୁମେହ ପରୀକ୍ଷଣର ସମୟ ସକାଳ ୯ଟାରୁ ପରିବର୍ତ୍ତନ, ଟାଟା ମେମୋରିଆଲ୍ ହସ୍ପିଟାଲ୍‌ରେ କର୍କଟ ରୋଗର ଚିକିତ୍ସା ପାଇଁ ମଣ୍ଡଳ ମୁଖ୍ୟ ଚିକିତ୍ସା ପ୍ରବନ୍ଧକଙ୍କୁ ଅନୁମତି କ୍ଷମତା ଆଦି ଦାବି ରହିଛି।

ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜୋନାଲ୍ କୋଷାଧ୍ୟକ୍ଷ ଏମ୍‌ଡ଼ି ଜାକିରୁଦ୍ଦୀନ, ଅତିରିକ୍ତ ମହାମନ୍ତ୍ରୀ ବିଦ୍ୟାଧର ଜେନା, ନିରଂଜନ ମିଶ୍ର, ଉପମଣ୍ଡଳ ସଂଯୋଜକ ମୁରଲୀ କ୍ରିଷ୍ଣା, ଓପନ ଲାଇନ ଶାଖା ସମ୍ପାଦକ ନିର୍ମଳ ପରିଡ଼ା, ଡିଆର୍ବି ଶାଖା ସମ୍ପାଦକ ପ୍ରଦୀପ ବେହେରା, ଶାଖା ସମ୍ପାଦକ ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର