ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ୭ ଦଫା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଶିଆଳିଆ ଠାରେ ନବ ନିର୍ମିତ ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଅଭିଭାବକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ନିହାର ରଞ୍ଜନ ରାୟ, ବିଜୟ ଦାସ, ରୀତାଞ୍ଜଳୀ ବିଶ୍ୱାଳ, ମାନସରଞ୍ଜନ ସାହୁ, ପଦ୍ମଚରଣ ଗୁମାନସିଂହଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଅଭିଭାବକଙ୍କ ଅଭିଯୋଗ ହେଲା ଆଦର୍ଶ ବିଦ୍ୟାଳୟର ନିର୍ମାଣ ବର୍ତମାନ ସୁଦ୍ଧା ଶେଷ ହୋଇନାହିଁ, କିନ୍ତୁ ପାଠପଢ଼ା ଆରମ୍ଭ ହୋଇଛି। ଦୂରରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଅନ୍ତେବାସ ନାହିଁ, ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଏଯାଏଁ ନିଯୁକ୍ତ ହୋଇନାହାନ୍ତି କି ବିଷୟ ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ନାହାଁନ୍ତି।

କେବଳ ଏହାନୁହେଁ, ବିଦ୍ୟାଳୟ ପରିସର ଦେଇ ୨୨୦ କେଭି ବିଦ୍ୟୁତ୍ ଲାଇନ୍ ଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ସର୍ବଦା ବିପଦର ଆଶଙ୍କା ରହିଛି। ବିଦ୍ୟାଳୟରେ ସୁରକ୍ଷା ସୂଚନା ଫଳକ ନାହିଁ କି ରାସ୍ତା ଉପରେ ବେଗ ପ୍ରତିରୋଧକ ନାହିଁ। ଏହି ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଆଜି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି, ଆସନ୍ତା ଶନିବାର ଆଦର୍ଶ ବିଦ୍ୟାଳୟ ନିର୍ଦେଶକଙ୍କୁ ଅଭିଭାବକଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର