ରାୟଗଡା: ରାୟଗଡ଼ା ଜିଲ୍ଲାର ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୨୦୧୩ ମସିହାରୁ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନେ ନିଷ୍ଠାପର ଓ ନିଃସ୍ବାର୍ଥପର ଭାବେ କାମ କରି ଆସୁଥିବା କହିଥିଲେ। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ବନ୍ୟା, ବାତ୍ୟା କରୋନା ସମୟରେ କିମ୍ବା ବାହାନଗା ରେଳ ଦୁର୍ଘଟଣା ସମୟରେ ରୋଗୀ ମାନଙ୍କୁ ସଠିକ ସେବା ଯୋଗାଇ ଆସିଛୁ। ଫୋନ ପାଇବା ମାତ୍ରେ ଅଖିଆ ଅପିଆ ଭାବେ ସେବା ଯୋଗାଇ ଆସିଛୁ ବୋଲି ଏହି କର୍ମଚାରୀ ମାନେ କହିଥିଲେ।

Advertisment

ଆଜି ପର୍ଯ୍ୟନ୍ତ ଆମେ ସରକାରଙ୍କର ନଜରକୁ ଆସି ପାରୁନଥିବା ଏମାନେ ଦୁଃଖର ସହ କହିଥିଲେ। ଆଜି ସେମାନଙ୍କର  ୬ ଦଫା ସମ୍ବଳିତ ଏକ ଦାବିପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କୁ ଦେଇଥିଲେ। ଉକ୍ତ ଦାବି ଗୁଡିକୁ ମଧ୍ୟରେ ୧୦୮ ଆମ୍ବୁଲନ୍ସ କର୍ମଚାରୀଙ୍କୁ ନିୟମିତ କରାଯାଉ ନଚେତ୍ ୮ ଘଣ୍ଟିଆ ପାରିଶ୍ରମିକ ହିସାବରେ ଇଏମଟିଙ୍କୁ ୩୦ ହଜାର, ପାଇଲଟକୁ ୨୫ ହଜାର ଏବଂ ଆଟାଣ୍ଡାଣ୍ଟକୁ ୨୦ ହଜାର ଟଙ୍କା ଦିଆଯାଉ।

ବାର୍ଷିକ ଦରମା ବୃଦ୍ଧି ସହ କର୍ମଚାରୀ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରାଯାଉ। କୌଣସି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସଂଘ ସହ ଆଲୋଚନା କରାଯାଉ। ଆମ୍ବୁଲାନ୍ସ ରହିବ ସ୍ଥାନରେ କର୍ମଚାରୀଙ୍କ ରହିବ ପାଇଁ ସୁବନ୍ଦୋବସ୍ତ କରିବା ଓ କୌଣସି କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ପ୍ରଦାନ କରିବା ଭଳି ଦାବି ଗୁଡ଼ିକ ଦାବିପତ୍ରରେ ଉଲ୍ଲେଖ କରି ଜିଲ୍ଲାପାଳଙ୍କୁ ଦିଆଯାଇଛି। ଏହି ଦାବି ଗୁଡିକ ବିଚାରକୁ ନେଇ କିଭଳି ଦାବି ପୂରଣ ହେବା ସେ ନେଇ ଚେଷ୍ଟା କରିବା ପାଇଁ ସଙ୍ଘ ତରଫରୁ ନିବେଦନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ବେଳେ ସଙ୍ଘର ଗଙ୍ଗାଧର ଶବର, ଶେକ ବୁଖାରି, ପରୀକ୍ଷିତ ନାଏକ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।