ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ସାମ୍ବାଦିକ ସଂଘର ଦାବିପତ୍ର

ରାୟଗଡା: ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ନିକଟ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତିରେ ଅବସ୍ଥିତ ତେଣୁ ଏଠାରେ ଆନ୍ଧ୍ରର ତେଲୁଗୁ ଭାଷାର ବ୍ୟବହାର ବହୁଳ ଭାବରେ ଦେଖିବାକୁ ମିଳିଥାଏ। ଜିଲ୍ଲାର ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ଓ ବାଣିଜ୍ୟସ୍ଥଳ ମାନଙ୍କରେ ଥିବା ଫଳକରେ ବିଭିନ୍ନ ଭାଷା ଲେଖା ହୋଇଥାଏ ସତ କିନ୍ତୁ ଓଡ଼ିଆ ଭାଷାକୁ ଉକ୍ତ ଫଳକରେ ଅତି କଦର୍ଯ୍ୟ ଭାବରେ ଲେଖା ଥିବା ଦେଖିବାକୁ ମିଳିଥାଏ।ଯାହା ଓଡ଼ିଆଙ୍କ ପାଇଁ ଅତି ଦୁଃଖ ଓ ପରିତାପର ବିଷୟ। ଏହାଛଡା ରାୟଗଡ଼ ଜିଲ୍ଲାର ନାମକୁ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ରାୟଗଡ଼ା ଭାବରେ ଲେଖା ଯାଇଛି କିନ୍ତୁ ପ୍ରକୃତରେ ରାୟଗଡ ଲେଖିବା ବଦଳରେ ଅପଭ୍ରଂଶ ହୋଇ ରାୟଗଡ଼ା ହୋଇଯାଇଛି।

ତେଣୁ ରାୟଗଡ଼ା ବଦଳରେ ରାୟଗଡ ଭାବେ ସଂଶୋଧନ କରିବା ନେ଼ଇ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆସନ୍ତା ଏପ୍ରିଲ ମାସରେ ଓଡ଼ିଆ ନବବର୍ଷ ଉପଲକ୍ଷେ ରାୟଗଡ ଜିଲ୍ଲାରେ ଥିବା ସିନେମା ହଲ ମାନଙ୍କରେ ଓଡ଼ିଆ ସିନେମାର ପ୍ରସାର କରିବା ନେଇ ସମସ୍ତ ସିନେମା ହଲ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଉକ୍ତ ଦାବିପତ୍ରରେ ଅନୁରୋଧ କରାଯାଇଛି। ଉକ୍ତ ଦାବିପତ୍ରକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ପ୍ରଦାନ କରିଥଲେ। ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ବରେ ଉପ ସଭାପତି ଶ୍ରୀନିବାସ ବଳିଆର ସିଂହ, ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ ଓ ସଭ୍ୟ ଜିତେନ୍ଦ୍ର ପାଢ଼ୀ ପ୍ରମୁଖ ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର