ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଅଧ୍ୟୟନରତ ଥିବା ଦ୍ଵିତୀୟ ବର୍ଷର ଛାତ୍ରୀ ନାଗେଶ୍ବରୀ ଗଣ୍ଡଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଓ ଛାତ୍ରୀଙ୍କ ପରିବାରକୁ ରାଜ୍ୟ ସରକାର ଆର୍ଥିକ କ୍ଷତି ପୂରଣ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ପବିତ୍ର ଗରଡାଙ୍କ ନେତୃତ୍ୱରେ ଉମରକୋଟ ଠାରେ ଏକ ଶୋଭାଯାତ୍ରା ବାହାରି ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାଟି କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ରରେ ନାଗେଶ୍ୱରୀ ରାଗିଂ ଯୋଗୁ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ, ଛାତ୍ରୀ ଜଣଙ୍କ ଗରିବ ହେଇଥିବାରୁ ପରିବାରକୁ ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ପ୍ରଦାନ, ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନରେ ରାଗିଂଙ୍କୁ ବନ୍ଦ କରିବା ପାଇଁ ପଦକ୍ଷେପ ଓ ଘଟଣା ଦିନ ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ମେଟ୍ରୋନ ଓ ହଷ୍ଟେଲ ଇନ୍ ଚାର୍ଜଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଉଲ୍ଲେଖ ରହିଛି। ପରେ ଦଳ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରକୁ ଆସି ଏହାର ଅଧ୍ୟକ୍ଷଙ୍କୁ ଅନୁରୂପ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।
ଏହି ସମୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପବିତ୍ର ଗରଡାଙ୍କ ବ୍ୟତୀତ ଓଡ଼ିଶା କଂଗ୍ରେସର ଆଦିବାସୀ ସେଲର ସଭାପତି ତଥା ଡ଼ାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଉମରକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ଟାଉନ ସଭାପତି ଟୁଲୁ ସାହୁ, କଂଗ୍ରେସ ଦଳ ବରିଷ୍ଟ ନାରୀନେତ୍ରୀ ହାରାବତି ଗଣ୍ଡ, ସମ୍ପାଦକ ପର୍ସୁ ନାୟକ, ଉମରକୋଟ ନିର୍ବାଚନ ମଣ୍ଡଳୀ ସଭାପତି ଅଜୟ ଚୌହାନ, ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରଦୀପ ସାହୁ, ବରିଷ୍ଟ କଂଗ୍ରେସ ନେତା ବାବୁଲା ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ଉସମାନ ଲାଠିଆ, ଏସ ବିଜୟ, ଶଙ୍କର ମଣ୍ଡଳ, ସୁନ୍ଦର ଗଣ୍ଡ, ସୁବାଷ ସାଗର, ଯାନୁଆର ପୂଜାରୀ, ଉମେଶ ଗଣ୍ଡ, ଛାତ୍ର କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଦଶଦିନ ମଧ୍ୟରେ ଦାବି ଯଦି ପୂରଣ ନହୁଏ ତେବେ ଆନ୍ଦୋଳନକୁ ଜିଲ୍ଲା ବ୍ୟାପୀ କରାଯିବ ବୋଲି କଂଗ୍ରେସ ନେତା ମାନେ ଏହି ଅବସରରେ ଚେତାବନୀ ଦେଇଛନ୍ତି।