ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ରାୟଗଡା: ଝୋଡିଆ ସମାଜର ଦୀର୍ଘଦିନର ଦାବି ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଅନୁସୂଚିତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ, କାଳିରାମ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜଳଶକ୍ତି ଓ ଆଦିବାସୀ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ମନ୍ତ୍ରୀ ଶ୍ରୀ ଟୁଡୁ ମଧ୍ୟ ଏହାର ତୁରନ୍ତ କାର୍ଯ୍ୟକାରୀ କରିବା ନିର୍ଦ୍ଦେଶ ଦେବା ସହ ଦୀର୍ଘଦିନର ସମସ୍ୟାର ନିଶ୍ଚିତରୂପେ ମୋଦୀଙ୍କ ନେତୃତ୍ଵାଧୀନ ସରକାର ଦାବି ପୁରଣ କରିବେ ବୋଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ପରଜା ସମ୍ପ୍ରଦାୟ ଭଳି ଝୋଡିଆ ସମ୍ପ୍ରଦାୟ ଆଦିମ ଜନଜାତି।ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଝୋଡିଆ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ସମ୍ପ୍ରଦାୟର ଲୋକେ ରହୁଛନ୍ତି। ଏହି ଜନଜାତି ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ସୁବିଧା ପାଇ ପାରିନାହାନ୍ତି। ଏହି ଜନଜାତି ଆଜି ବି ଭୋକିଲା, ଅସହାୟ, ସଂକ୍ରାମକ ରୋଗରେ ଆକ୍ରାନ୍ତ, କୁପୋଷଣର ଶିକାର ହେଉଛନ୍ତି।

୧୯୯୭ ମସିହାରୁ ପରଜା ସମ୍ପ୍ରଦାୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ଆଦିବାସୀ ମାନ୍ୟତା ପାଇ ସମସ୍ତ ସୁବିଧା ସୁଯୋଗ ହାତେଉଛନ୍ତି। ଏହି ସମ୍ପ୍ରଦାୟର ସମାନ ସାମଞ୍ଜସ୍ୟ ଝୋଡିଆ ସହ ରହିଛି। ଆଦିବାସୀ ମାନ୍ୟତା ପାଇ ପାରୁନଥିବାରୁ ନିଜର ପିଲାଙ୍କୁ କୌଣସି ଆଦିବାସୀ ହଷ୍ଟେଲରେ ରଖି ପାଠ ପଢାଇ ପାରୁନାହାନ୍ତି। ଯାହାଫଳରେ ବହୁ ପିଲା ଅଶିକ୍ଷିତ ହୋଇ ରହି ଯାଉଛନ୍ତି। ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ବହୁ ରାଜନୈତିକ ଦଳ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସମାଜସେବୀ ମାନେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ଓଡିଶା ସରକାର ମଧ୍ୟ ବହୁ ଥର କେନ୍ଦ୍ର ସରକାରଙ୍କୁ ଏନେଇ ଲିଖିତ ଦାବି କରିଛନ୍ତି। ପରଜା ଆଦିବାସୀଙ୍କ ସହ ସମାନ ସାମଞ୍ଜସ୍ୟ ରହୁଥିବାରୁ ଅନ୍ୟ ପରଜା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଲା ସିନା ଝୋଡିଆଙ୍କୁ ମିଳିପାରୁ ନାହିଁ। ଏପରିକି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏନେଇ ବାରମ୍ବାର ଲିଖିତ ଦାବି କରିଛନ୍ତି। ତେବେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଗୁରୁତ୍ବର ସହ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ସହ ଅନୁସୂଚିତ ଜନଜାତି ମୋର୍ଚ୍ଚାର ପୂର୍ଣ୍ଣିମା କେର୍କେଟା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ (ଓଡିଶା), ରାମଚନ୍ଦ୍ରନ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ (ଆନ୍ଧ୍ରପ୍ରଦେଶ), ବବି ଆଜମୀରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା (ତେଲେଙ୍ଗାନା), ଦୀପକ ଗଣ୍ଡ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ (ଉତ୍ତର ପ୍ରଦେଶ) ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର