ଖୋର୍ଦ୍ଧା: ଆଜି ଜିଲ୍ଲାର ପ୍ରାୟ ୭୦ରୁ ଉର୍ଦ୍ଧ୍ବ ବାହ୍ୟଠିକା (ଆଉଟ୍ସୋର୍ସିଂ) କର୍ମଚାରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବ୍ୟାନରରେ ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବାହ୍ୟଠିକା କର୍ମଚାରୀମାନେ ହାତରେ ପ୍ଲାକାର୍ଡ ଆଦି ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ।

Advertisment

ଏହି ଦାବିପତ୍ରରେ, ଚାକିରି ନିୟମିତ ହେବା ପର୍ଯ୍ୟନ୍ତ ବିଭାଗ ଦ୍ୱାରା ବେତନ ପ୍ରଦାନ, ଗ୍ରୁପ ବି ନିମନ୍ତେ ୪୦ ହଜାର, ଗ୍ରୁପ୍ସି ନିମନ୍ତେ ୩୦ ହଜାର ଟଙ୍କା ଓ ଗ୍ରୁପ୍ ଡି କର୍ମଚାରୀଙ୍କ ପାଇଁ ୨୧ ହଜାର ଟଙ୍କା ବେତନ ବୃଦ୍ଧି, ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି କରିବା, ଇଏସ୍ଆଇ ଓ ଇପିଏଫ୍ ସିଧାସଳଖ ଡିଡିଓଙ୍କ ଦ୍ୱାରା ସେମାନଙ୍କ ଖାତାରେ ଜମା କରିବା, ୬ ବର୍ଷରୁ ଅଧିକ ସେବା ପ୍ରଦାନ କରିଥିବା କର୍ମଚାରୀଙ୍କୁ ଦୁର୍ଘଟଣାଜନିତ କ୍ଷତିପୂରଣ ପ୍ରଦାନ କରିବା, ମହିଳା କର୍ମଚାରୀଙ୍କୁ ଦୁଇଥର ମାତୃତ୍ୱ ଛୁଟି ପ୍ରଦାନ କରିବା ଆଦି ରହିଛି।