ଖୋର୍ଦ୍ଧା: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଖୋର୍ଦ୍ଧା ବ୍ଲକ ପକ୍ଷରୁ ଆଜି ଗୁରୁବାର ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ପୂରଣ ନହେଲେ ଆସନ୍ତା ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦିଆଯାଇଛି। ଆଜି ଗୁରୁବାର ପୂର୍ବାହ୍ନରେ ସଂଘର କର୍ମକର୍ତା ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସଂଘର ବ୍ଲକ ସମ୍ପାଦକ ମନୋରଞ୍ଜନ ଜେନା ଦାବି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନି କରିବା, ଓଆର୍‌ଏସ୍‌ପି ୨୦୧୭ ଅନୁସାରେ ସ୍ତର-୯ ଦରମା ପ୍ରଦାନ କରିବା, ୧୦ ବର୍ଷ ଧରି କାର୍ଯ୍ୟ କରିଥିବା ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିବା ଆଦି ଦାବି ରହିଛି।

Advertisment

ଏନେଇ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଦାବି ସମ୍ପର୍କରେ ଅବଗତ କରାଯାଇଛି, କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏହାର ପ୍ରତିବାଦରେ ସଂଘର ସଦସ୍ୟମାନେ ଆସନ୍ତା ୭ ତାରିଖରୁ ୧୭ ତାରିଖ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ୧୮ରୁ ସମୂହ ଛୁଟିରେ ଯିବେ। ଆଜିର ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଲାଲ ବାହାଦୂର ରଞ୍ଜିତ, ସରସ୍ବତୀ ସେଠୀ, ବିଭୂ ପ୍ରସାଦ ସୁବୁଦ୍ଧି, ପ୍ରମୋଦ କୁମାର ନାୟକ, ଅନନ୍ୟା ପ୍ରିୟଦର୍ଶିନୀ ଛୋଟରାୟ, ଅଶୋକ କୁମାର ପାଟ୍ଟଷାଣୀ, ଗୋଲକ ବିହାରୀ ଶୁକ୍ଲ, ଧନଞ୍ଜୟ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।