ଖୋର୍ଦ୍ଧା: ଗତକାଲି ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନ ଗିରଫ ପରେ ସଂଗଠନର ଶତାଧିକ ସମର୍ଥକ ଖୋର୍ଦ୍ଧା ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଦେଇଥିଲେ। ଆଜି ସକାଳେ ପୁଣି ଶତାଧିକ ସମର୍ଥକ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ମାନସ ଦାସଙ୍କୁ ଛାଡ଼ିବାକୁ ଦାବି କରିବାସହ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ସକାଳ ୧୦ଟାରୁ ଖୋର୍ଦ୍ଧା, ବେଗୁନିଆ, ବୋଲଗଡ଼, ଟାଙ୍ଗୀ, ପୁରୀ ଜିଲ୍ଲାର କଣାସ, ପୁରୀ, ନିମାପଡ଼ା, ପିପିଲି କଟକ ଜିଲ୍ଲାର ବାଙ୍କୀ, ନୟାଗଡ ଶରଣକୂଳ, ଚାନ୍ଦିପୁର ଆଦି ଅଂଚଳରୁ ଶତାଧିକ ସମର୍ଥକ ବସ୍, ମୋଟରସାଇକଲ, ଜିପ୍ ଆଦିରେ ଆସି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ଏହାପରେ ଗ୍ରାମାଂଚଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକା ହୋଇ ମାନସ ଦାସଙ୍କୁ ଛାଡ଼ିବାକୁ ଦାବି କରିବା ସହ ଗୁରୁଜୀଙ୍କ ଜୟକାର କରିଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍ଡ଼ିପିଓ ସୁଶୀଲ ମିଶ୍ର, ଜିଲ୍ଲା ମୁଖ୍ୟାଳୟ ଡିଏସ୍ପି ସୁରଜିତ ପଣ୍ଡା, ଟାଉନ୍ ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ, ଇନ୍ସପେକ୍ଟର ଭବାନୀ ଶଙ୍କର ଖୁଂଟିଆ, ଦିଗବିଜୟ ବିଶ୍ୱାଳ, ଅନୁଭା ଦାସଙ୍କ ସହ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପ୍ରାୟ ୧ ଘଂଟା ପ୍ରତିବାଦ କରିବା ପରେ ଏକ ଦାବିପତ୍ର ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟାଳୟ ଡିଏସ୍ପି ଶ୍ରୀପଣ୍ଡା ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ଦାବି ଉପରେ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି କହିବା ପରେ ବିକ୍ଷୋଭ କାରୀମାନେ ଚାଲିଯାଇଥିଲେ। ପ୍ରତିବାଦର ନେତୃତ୍ୱ ନେଉଥିବା ଡାଳତୋଳାର ବିରଂଚି ନାୟକ କହିଛନ୍ତି ଯେ ନୀଳମାଧବ ଶବର ସଂଘର ବେଲେଶ୍ୱର ପରିଡ଼ା ଗିରବ ନିରୀହ ଆଦିବାସୀଙ୍କୁ ପଟ୍ଟା ଦେବା, ଜାତି ପ୍ରମାଣପତ୍ର କରାଇବା, କାଜୁ ବଗିଚା ଲିଜ୍ ଦେବା ନାମରେ ଲକ୍ଷାଧିକ ଟଙ୍କା ଆଦାୟ କରିଛି। ଏହାସହ ଡାଳତୋଳା, ହିରାପୁର ଆଦି ଗାଁର ଆଦିବାସୀଙ୍କୁ ଅପରାଧୀକ କାର୍ଯ୍ୟ କରିବାକୁ ଉସ୍କାଉଛି। ଏଣୁ ଶବର ସଂଗଠନ ଓ ବେଲେଶ୍ୱର ପରିଡ଼ା ବିରୋଧରେ ତଦନ୍ତ କରାଯାଉ। ଏହି ସଂଗଠନର ମିଥ୍ୟା ଅଭିଯୋଗ ଯୋଗୁଁ ତାଙ୍କର ଗୁରୁଜୀ ଗିରଫ ହୋଇଛନ୍ତି। ତାଙ୍କୁ ଖଲାସ କରାଯାଉ ବୋଲି କହିଛନ୍ତି। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ମଧ୍ୟ ଏନେଇ ଉଲ୍ଲେଖ କରାଯାଇଥିବା ସେ ଦର୍ଶାଇଛନ୍ତି।