ଜୋରନ୍ଦା ମହିମା ପୀଠକୁ ଭଙ୍ଗାଯିବାରୁ କୌପିନଧାରୀ ମହିମା ସମାଜ ସାଧୁଙ୍କ ରାଲି ଓ ଦାବିପତ୍ର ପ୍ରଦାନ

ମାଲକାନଗିରି: ବେଆଇନ ଭାବେ ଡେଙ୍କାନାଳ ଜିଲ୍ଲା ପ୍ରଶାସନ ଜୋରନ୍ଦାସ୍ଥିତ ମହିମା ଗାଦି ବା ସତ୍ୟ ଅଲେଖ ମହିମା ଧର୍ମର ମନ୍ଦିର ଉପାସନା ପୀଠ ଓ ବିଶ୍ରାମ ଟୁଙ୍ଗିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିବାରୁ ମାଲକାନଗିରି ଜିଲ୍ଲାର ସାଧୁ ଭକ୍ତ ସମିତି ତରଫରୁ ଏହାକୁ ନିନ୍ଦା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଶତାଧିକ ଅଲେଖ ଧର୍ମାବଲାମ୍ବୀ ଭକ୍ତମାନେ ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। କୋର୍ଟ ଅଡର କାର୍ଯ୍ୟକାରୀ କରିବାକୁ ଯାଇ ମହିମା ଗାଦିରେ ଥିବା ବହୁ ବର୍ଷର ଉପାସନା ପୀଠକୁ ଯେପରି ଅମାନୁଷିକ ଭାବେ ଗତ ନଭେମ୍ବର ୨୨ ତାରିଖରେ ବିଧ୍ବଂସ କରାଗଲା ସେଥିରେ ମହିମା ଧର୍ମର ସନ୍ୟାସୀ ଏବଂ ସାଧୁମାନଙ୍କୁ ଗଭୀର ମର୍ମାହତ କରିଛି।ଏହାର ସମାଧାନ ପାଇଁ ଦାବି କରାଯାଇଛି। ଦାବି ଗୁଡିକ ମଧ୍ୟରୁ ମହିମା ଗାଦିରେ ମହିମା ଗୋସାଇଁଙ୍କ ନାମରେ ଥିବା ସମସ୍ତ ସ୍ଥାବର ସମ୍ପତ୍ତି ଉଭୟ ସତ୍ୟ ଅଲେଖ ଧର୍ମ କୌପୀନ ଧାରି ଓ ବକଳ ଧାରୀ ମହିମା ସମାଜ ନାମରେ ଦରଜ କରାଯାଉ।

Sambad

ଗାଦି ମନ୍ଦିରର ତୃତୀୟ ବେଢାରେ ସିଦ୍ଧ ବଡ କୃପାସିନ୍ଧୁ ବାବାଙ୍କ ଦ୍ବାରା ପ୍ରାୟ ଶହେ ବର୍ଷର ବତୀ ମନ୍ଦିର, ଧୂନି ମନ୍ଦିର, ଭେକ ମନ୍ଦିରକୁ ଯେଭଳି ଭାବେ ବିଧ୍ବଂସ କରାଯାଇଛି ତାହାକୁ ନିନ୍ଦା କରାଯିବା ସହ ଏସବୁ ମନ୍ଦିର ମହିମା ସ୍ବାମୀଙ୍କ ଜାଗାରେ ନିର୍ମାଣ କରିବା ପାଇଁ ଦାବି କରାଯାଇଛି। ଜୋରନ୍ଦାରେ ଥିବା ଗାଦି ମନ୍ଦିର ଓ ଶୂନ୍ୟ ମନ୍ଦିରରେ ଉଭୟ ବକଳ ଧାରୀ ଓ କୌପୀନ ଧାରୀଙ୍କୁ ରୀତିନୀତି କରିବାର ଅଧିକାର ଦିଆଯାଉ। ସରକାର ସାଧୁ ସନ୍ୟାସୀ ମାନଙ୍କ ସହ ଆପୋଷ ବୁଝାମଣା କରି ଏହାକୁ ସମାଧାନ କରାଯିବା ସହ କୋର୍ଟ କଚେରୀରେ ଥିବା ମକଦ୍ଦମାକୁ ପ୍ରତ୍ୟାହାର କରିବା ପାଇଁ ଦୁଇ ପକ୍ଷ ରାଜି ହୁଅନ୍ତୁ। ଏହା ଓଡିଶାର ନିଜସ୍ବ ଧର୍ମ ହୋଇଥିବାରୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ସାଧୁ ସମିତି ଭକ୍ତମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର