୩ ଦଫା ଦାବିରେ ଚିଲିକା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ନାଚୁଣୀ: ଚିଲିକା ବ୍ଲକର ନୂତନ ପେନସନ ଭୁକ୍ତ ମିଳିତ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ତଥା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସୂଚନାରୁ ପ୍ରକାଶ, ମିଳିତ ଶିକ୍ଷକ ସଂଘର ସଭାପତି ନରେନ୍ଦ୍ର କୁମାର ଵାଘସିଂହ ତଥା ସପ୍ସପାଦକ ପ୍ରଦୀପ କୁମାର ସାସମଲଙ୍କ ଅଧ୍ୟକ୍ଷତାରେ ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲ ରେ କାର୍ଯ୍ୟରତ ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକଜୁଟ ହୋଇ ଚିଲିକା ବ୍ଲକର ସିଂଗିପୁର ଶନି ମନ୍ଦିରଠାରେ ଏକ ସଭାରେ ମିଳିତ ହୋଇଥିଲେ। ସେଠାରୁ ୩ ଦଫା ଦାବି ସମ୍ବଳିତ ସ୍ଲୋଗାନ ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଏକ ରାଲିରେ ବାହାରି ଚାଲିଚାଲି ଯାଇ ନିକଟସ୍ଥ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଫାଟକ ନିକଟରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ ପାଇଁ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ ପାଇଁ ଅଡି ବସିଥିଲେ।

ବିଇଓଙ୍କ ଅନୁପସ୍ଥିତିରେ ବିଆରସିସି ବୈକୁଣ୍ଠନାଥ ପାଇକରାୟଙ୍କୁ ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ ପାଇଁ ଏକ ପ୍ରତନିଧି ଦଳ ଯାଇଥିଲେ। ଏଥିରେ ଆନ୍ଦୋଳନରତ ଶିକ୍ଷକଙ୍କ ପକ୍ଷରୁ ମିଳିତ ଶିକ୍ଷକ ସଂଘର ସଭାପତି ତଥା ସମ୍ପାଦକଙ୍କ ସମେତ ଶିକ୍ଷକ ନେତା ଦେବରାଜ ପରିଡ଼ା, ଗଣେଶ୍ୱର ସ୍ବାଇଁ, ମନୋଜ କୁମାର ନାୟକ, ସଂଜୟ କୁମାର ପଣ୍ଡା, ପାଣ୍ଡବ ବିଶ୍ବାଳ, ଶରତ କୁମାର ବାରିକ, ଅଶୋକ କୁମାର ଘଡ଼ାଇ, ଭାସ୍କର ଘଡାଇ, କୃଷ୍ଣ ଚନ୍ଦ୍ର ବେହେରା, ବିଶ୍ଵ ଭୂଷଣ ଦାସ, ବଂଶୀଧର ବେହେରା ସାମିଲ ରହି ଆଲୋଚନା ସହ ରାଜ୍ୟ ସରକାରଙ୍କ ଉ‌ଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି, ଚିଲିକା ବ୍ଲକର ମୋଟ ୧୭ଟି ପଞ୍ଚାୟତ ତଥା ବାଲୁଗାଁ ଏନଏସି ଅଧୀନସ୍ଥ ପ୍ରାୟ ୯୮ ଟି ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ୩ ଶହରୁ ଉର୍ଦ୍ଧ୍ବ ଆଜି ‘ଚିଲିକା ମିଳିତ ଶିକ୍ଷକ ସଂଘ’ ନେତୃତ୍ବରେ ଦାବି ପୂରଣ ପାଇଁ ଆଜିର ଏହି ଆନ୍ଦୋଳନରେ ସାମିଲ ରହିଥିବା ପ୍ରକାଶ।

ସମ୍ବନ୍ଧିତ ଖବର