ରାଇରଙ୍ଗପୁର/ତିରିଂ: ରାଜ୍ୟରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ହୋ ଭାଷାଭାଷୀ ଲୋକେ ବସବାସ କରୁଛନ୍ତି। ସେମାନଙ୍କର ସ୍ବତନ୍ତ୍ର ସ୍ୱତନ୍ତ୍ର ଲିପି ହେଉଛି ୱାରାଞ୍ଚିତି। ଦୀର୍ଘବର୍ଷ ଧରି ସେମାନଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଏବଂ ଓଡ଼ିଶାରେ ଦ୍ଵିତୀୟ ରାଜଭାଷାର ମାନ୍ୟତା ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ଯାଏଁ କେନ୍ଦ୍ର ଓ‌ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି। ଫଳରେ ସେମାନଙ୍କ ଭାଷା, ସଂସ୍କୃତି ବିପଦରେ। ସମ୍ବିଧାନର ମୌଳିକ ଅଧିକାର ଅନୁସାରେ ସମସ୍ତ ଶିଶୁ ଅଙ୍ଗନବାଡିରେ ନିଜ ମାତୃଭାଷାରେ ପାଠ ପଢି ପାରିବେ। ସରକାରଙ୍କ ଅଣଦେଖା ଯୋଗୁଁ ହୋ ସମାଜର ଶିଶୁମାନେ ନିଜ ମାତୃଭାଷା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାର ତିରିଂ ଵ୍ଳକର ହୋ ସମାଜର ଲୋକମାନେ ହୋ ସମାଜ ସମନ୍ୱୟ ସମିତି ବ୍ୟାନରରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ଆଜି ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ବେଶଭୂଷାରେ ବାଜା, ନୃତ୍ୟର ତାଳେ ତାଳେ ନୂଆଗାଁ ଛକରୁ ତିରିଂ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୁଇ କିମି ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ବାସନ୍ତୀ ଲାକ୍ରାଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କର ଦାବି ତିରିଂ ବ୍ଲକରେ ୩୦ ହଜାରରୁ ଉର୍ଦ୍ଧ୍ବ ହୋ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। କିନ୍ତୁ ସରକାରଙ୍କ ଅଣଦେଖା ଯୋଗୁଁ ହୋ ଭାଷା ବହୁଳ ଅଞ୍ଚଳରେ (ଏମଟିଏଲ) ଅଙ୍ଗନବାଡ଼ି ଗୁଡ଼ିକୁ ମୁଣ୍ଡା ରୂପେ ଚିହ୍ନଟ ହୋଇଛି। ଫଳରେ ଶିଶୁମାନେ ହୋ ଭାଷାରେ ପଢିବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ସାନି ସର୍ଭେ କରାଯାଇ ହୋ ଭାଷାକୁ ଏମଟିଏଲରେ ସାମିଲ କରିବା, ତିରିଂ ବ୍ଳକର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସଏସଡ଼ି) ବିଦ୍ୟାଳୟ ଗୁଡିକରେ ହୋ ଭାଷାରେ ବହୁଭାଷୀ ଶିକ୍ଷକ/ ଶିକ୍ଷୟତ୍ରୀ ନିଯୁକ୍ତି କରିବା, ସେମାନଙ୍କ ଧାର୍ମିକସ୍ଥଳୀ (ଜାହିରା ଗୁଡିକରେ ଅଧିକ ଅର୍ଥ ମଞ୍ଜୁର କରାଯାଇ ଉନ୍ନତିକରଣ ଏବଂ ପାରମ୍ପରିକ ଗଛର ଚାରା ରୋପଣ, ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ହୋ ଭାଷାରେ ସ୍ନାତକୋତ୍ତର (ପି.ଜି) ପାଠ୍ୟକ୍ରମ ଖୋଲିବା, ଓଡ଼ିଶାରେ ହୋ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଆଦି ଦାବି ଗୁଡ଼ିକ ରହିଛି।

Advertisment

publive-image Sambad

ସରକାର ଆଗାମୀ ଦିନରେ ଉକ୍ତ ଦାବି ନେଇ ଗୁରୁତ୍ୱ ଦେବାରେ ବିଳମ୍ବ କଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଶୋଭାଯାତ୍ରାରେ ହୋ, କୋହ୍ଲ ସମ୍ପ୍ରଦାୟର ବିଦ୍ୱାନ, ଶିକ୍ଷାବିତ୍, ସଂସ୍କୃତିପ୍ରେମୀ, ଭାଷାପ୍ରେମୀ, ରାଜନୈତିକ ନେତୃବୃନ୍ଦ, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ତଥା ଯୁବ ସାମାଜିକକର୍ମୀ ଜଲେନ ବାର୍ଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ହରିଚରଣ ବିରୁଆ, ଯୁବ ନେତା ବାବୁଲୁ ପୂର୍ତ୍ତି, ବଡ଼ଡାଳିମା ସରପଞ୍ଚ ରାମେଶ୍ୱର ପୂର୍ତ୍ତି, ତିରିଂ ବ୍ଲକ ପୂର୍ବତନ ଅଧ୍ୟକ୍ଷା ଜେନାମଣି ସୁଣ୍ଡି, ତିରିଂ ବ୍ଳକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାର୍ଦା, କୁଲୁଘୁଟୁ ସରପଞ୍ଚ ଗୁରୁବାରି ପୂର୍ତ୍ତି, କୁଲୁଘୁଟୁ ସମିତି ସଭ୍ୟ ଚାମ୍ବରୁ ହେମ୍ବ୍ରମ, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ବିର୍ସା କଣ୍ଡାଙ୍ଗକେଲ, ଆଦିବାସୀ ହୋ ସମାଜ ମହାସଭାର ଗୌରଚନ୍ଦ୍ର ମୁଣ୍ଡା, ଚନ୍ଦ୍ରିକା କଣ୍ଡାଙ୍ଗକେଲ, ନିତାଇ ପୂର୍ତ୍ତି, ସାନଗି ଜଙ୍କ, ଗିରିଶ ଗୋଡ଼ସରା, ନାରୀ ନେତ୍ରୀ ପାର୍ବତୀ ବିରୁଆଙ୍କ ସମେତ ଶତାଧିକ ଜନସାଧାରଣ ସାମିଲ ଥିଲେ।