ରାୟଗଡା: ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାବଲାମ୍ବି ମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି। ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି। ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ, ଭାରତୀୟ ସମ୍ବିଧାନର ଧାରା ୪୪କୁ ସ୍ପଷ୍ଟ ଅବମାନନା କରୁଛି। ଏଣୁ କାଳ ବିଳମ୍ବ ନ କରି ଦେଶରେ (ୟୁସିସି) ସବୁ ନାଗରିକ ମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦାବି କରି ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦେଶ ବର୍ତ୍ତମାନ ବିସ୍ଫୋଟକ ଜନସଂଖ୍ୟା ଜନିତ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।
ପୃଥିବୀର ସମୁଦାୟ ଜନସଂଖ୍ୟାରୁ ୧୮ ପ୍ରତିଶତ ଲୋକ ଆମ ଦେଶରେ ଅଛନ୍ତି। ଆମ ଦେଶ ଏବେ ଜନସଂଖ୍ୟାରେ ଚୀନକୁ ଟପି ଗଲାଣି। ଚୀନର କ୍ଷେତ୍ରଫଳ ୯୫.୯୬ ହଜାର ବର୍ଗ କିମି ଥିବା ବେଳେ ଆମ ଦେଶର କ୍ଷେତ୍ରଫଳ ହେଉଛି ମାତ୍ର ୩୨.୮୭ ହଜାର କିମି ଅର୍ଥାତ ଆମ ଦେଶ ଭାରତ ଅପେକ୍ଷା ଚୀନର କ୍ଷେତ୍ରଫଳ ତିନି ଗୁଣାରୁ ଅଧିକ। କିନ୍ତୁ ଜନସଂଖ୍ୟାର ଆମେ ଚୀନ ଠାରୁ ଅଧିକ। ଏତେ ବଡ ଜନସଂଖ୍ୟାକୁ ଶସ୍ୟ ସାମଗ୍ରୀ, ଫଳ, ପନିପରିବା, ଦୁଗ୍ଧ, ବିଜୁଳି, ପାଣି, ଇନ୍ଧନ, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ସମ୍ପୂର୍ଣ ଅସମ୍ଭବ। ତେଣୁ ଓଡ଼ିଶା ସରକାର ପ୍ରାଦେଶିକ ସ୍ତରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଆମେ ଦୃଢ଼ ଦାବି ଉପସ୍ଥାପନ କରୁଛୁ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି। ଯେଉଁମାନେ ଦୁଇ ସନ୍ତାନ ଜନ୍ମ ଦେବା କଟକଣାକୁ ମାନିବେ ନାହିଁ ସେମାନଙ୍କ ପ୍ରତି ମଧ୍ୟ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଆମେ ପ୍ରସ୍ତାବ ଦେଉଛୁ ବୋଲି କହିଥିଲେ।
/sambad/media/post_attachments/wp-content/uploads/2023/07/Rgda-Janasankhya-Goundation-2.jpg)
ଭାରତ ସରକାରଙ୍କ ନିକଟରେ ୫ ଦଫା ଦାବି ଉପସ୍ଥାପନ କରିଥିଲେ। ସେଗୁଡିକ ମଧ୍ୟରେ ତୃତୀୟ ସନ୍ତାନ ଜନ୍ମ ଦାତାଙ୍କୁ ସରକାରୀ ଚାକିରି ଦିଆ ନ ଯିବାର ସାମ୍ବିଧାନିକ ବ୍ୟବସ୍ଥା ରହୁ। ଚାକିରିରେ ଥିବା ବ୍ୟକ୍ତି ତୃତୀୟ ପିଲା ଜନ୍ମ ଦେଲେ ଉଭୟ ଦମ୍ପତିଙ୍କୁ ସେମାନଙ୍କୁ ଅତି ଶୀଘ୍ର ସେବା ନିବୃତ କରିବାର ବ୍ୟବସ୍ଥା ହେଉ। ତୃତୀୟ ସନ୍ତାନ ଜନ୍ମ ଦେଇଥିବା ବ୍ୟକ୍ତିଙ୍କୁ ରାସନ ବ୍ୟବସ୍ଥା ବନ୍ଦ କରିବା ସହିତ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରିବାକୁ ଆଇନ ପ୍ରଣୟନ ହେଉ। ତୃତୀୟ ସନ୍ତାନ ଜନ୍ମ ଦେଇଥିବା ଦମ୍ପତିଙ୍କୁ ପ୍ରାଦେଶିକ ସ୍ତରୀୟ ଯେକୌଣସି ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ସହିତ ଭୋଟ ଦେବା କ୍ଷମତା ରବ୍ଦ କରାଯିବା ପାଇଁ ଆଇନର ବ୍ୟବସ୍ଥା କରାଯାଉ। ଏହାସତ୍ତ୍ୱେ ଚତୁର୍ଥ ସନ୍ତାନ ଜନ୍ମ ଦେଲେ ସମ୍ପୃକ୍ତ ଦମ୍ପତ୍ତି ମାନଙ୍କୁ ଜେଲ ଦଣ୍ଡର ବ୍ୟବସ୍ଥା ରହୁ। ଏହି ଧାରଣାରେ ରାଜ୍ୟ ସଂଘଠନ ସମ୍ପାଦକ ଯୋଗେଶ୍ଵର ଦାସ, ସମାଜସେବୀ ତଥା କର୍ମଜୀବି ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବାଦଲ କୁମାର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଦୁର୍ଗା ମାଧବ ଘୋଷଙ୍କ ସଭାପତିତ୍ବ କରଥିଲେ। ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ ସମୟରେ ସମାଜସେବୀ ଗଣେଶ କୁମାର ସାହୁ, ପ୍ରଳୟ କୁମାର ସାହୁ, ଧର୍ମ ସିଂହ ନାଗ, ପରମା ନନ୍ଦ ପ୍ରଧାନ, ବସନ୍ତ କୁମାର ଉଲ୍ଲାକା, କୁମାରୀ ବାଡତିୟା, ସନ୍ତୋଷ କୁମାର ଦଳାଇ ଯୋଗ ଦେଇଥିଲେ।