ରାୟଗଡା: ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକରେ ଶନିବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ରାଜ୍ୟ ସଂଘର ଆହ୍ବାନକ୍ରମେ ସମସ୍ତ ବର୍ଗ ଓ ସଙ୍ଗଠନ ମିଳିତ ଭାବରେ ଦାବି ଗୁଡ଼ିକ ପୂରଣ ନିମନ୍ତେ ଦାବିପତ୍ର ଦେଇଛନ୍ତି। ଗତ ନଭେମ୍ବର ମାସ ୨୨ ତାରିଖ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ ଶିକ୍ଷକ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୧୦୯ ତା ୩୦.୧୧.୨୦୨୨ ଅନୁଯାୟୀ ଆଲୋଚନା ପରେ ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଉକ୍ତ ଦାବି ଗୁଡ଼ିକ ପୂରଣ ହୋଇନଥିବାରୁ ବିହୀତ ପଦକ୍ଷେପ ନିମନ୍ତେ ନିବେଦନ କରାଯାଇଛି। ଦାବି ପୂରଣ ନହେଲେ ଆସନ୍ତା ଅଗଷ୍ଟ ମାସ ୧୬ତାରିଖକୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହେବା ନିମନ୍ତେ ବାଧ୍ୟ ହେବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
/sambad/media/post_attachments/wp-content/uploads/2023/08/Rgda-Teacheer-union-dabi-patra-pradan-2.jpg)
ଦାବି ଗୁଡିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ଇଂକ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡରଙ୍କୁ କେଡରଭୂକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାର ମୂଳ ବେତନ ଲେବୁଲ ନଅରେ ୪୨୦୦ ଗ୍ରେଡ ପେ ଅନୁଯାୟୀ ପ୍ରଦାନ ତଥା ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଇତ୍ୟାଦି ରହିଛି। ଆଗାମୀ ଅଗଷ୍ଟ ମାସ ଏଗାର ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି।