ରାୟଗଡା: ରାୟଗଡା ଜିଲ୍ଲାପାଳଙ୍କୁ ଶନିବାର ଜିଲ୍ଳା କିଶାନ କଂଗ୍ରେସ ତରଫରୁ ଉପସଭାପତି ଏମ୍‌. ଗଙ୍ଗାଧର ଆଚାରୀଙ୍କ ନେତୃତ୍ବରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚାରି ଚାରି ଥର ଲଘୁଚାପ ଜନିତ ବର୍ଷା ହୋଇଥିଲେ ମଧ୍ୟ ପୂର୍ବରୁ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷକାମ ଧିମେଇ ଯାଇଥିଲା। ଚାଷୀମାନେ ବିହନ ପକାଇଥିଲେ ମଧ୍ୟ ବିହନ ନଷ୍ଟ ହୋଇଯାଇଥିଲା। ବହୁ ସ୍ଥାନରେ ତଳି ମଧ୍ୟ ପାଚି ଯାଇଛି। ଏବେ ଚାଷୀଙ୍କ ପାଖରେ ବିହନ ଓ ଆବଶ୍ୟକ ପରିମାଣର ତଳି ନାହିଁ। କୃଷି କାର୍ଯ୍ୟ ପାଇଁ ଠିକଣା ସମୟରେ କୃଷି ଯନ୍ତ୍ରପାତି, ବୈଷୟିକ ତାଲିମ, ବିହନ, ସାର, କୀଟନାଷକ ଔଷଧ, କୃଷିଋଣ, ଫସଲ ବୀମା, ଜନଶେଚନ ଇତ୍ୟାଦି ଦରକାର। କିନ୍ତୁ ଜିଲ୍ଲାରେ ଚାଷୀମାନେ ଏଭଳି ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା କିଶାନ କଂଗ୍ରେସ ଅଭିଯୋଗ କରିଛି। ଦିଆଯାଇଥିବା ଦାବିପତ୍ରରେ ଉଲ୍ଳେଖ କରାଯାଇଛି ଯେ ଉନ୍ନତ ବିହନ ଓ ତଳି ଶତକଡା ୭୫ ଭାଗ ରିହାତି ଯୋଗିଇ ଦିଆଯାଉ।

Advertisment

ସାରର କଳାବଜାରିକୁ ରୋକାଯାଇ ଠିକଣା ସମୟରେ ନିର୍ଧାରିତ ମୂଲ୍ୟରେ ସାର ପ୍ରଦାନ କରାଯାଉ। ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି ଚଳିତମାସ ୫ ତାରିଖ ପରିବର୍ତ୍ତେ ୧୫ ତାରିଖକୁ ବୃଦ୍ଧି କରାଯାଉ। ଚାଷୀଙ୍କ ନାମ ପଞ୍ଜୀକରଣ ସୀମା ଅଗଷ୍ଟ ୧୫ ପରିବର୍ତ୍ତେ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଅଚଳ ଉଠାଜଳସେଚନ ପଏଣ୍ଟ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ। ଭାଗଚାଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ରିହାତି ଓ ବିଭିନ୍ନ ଯୋଜନାରେ ସାମିଲ କରାଯାଉ। ଚାଷ କାମ ପାଇଁ ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଉ। ଜିଲ୍ଲାର ସମସ୍ତ ଚାଷୀଙ୍କୁ କାଳିଆ ଓ ପିଏମ କିଶାନ ନିଧି ସମ୍ମାନ ଯୋଜନାରେ ସାମିଲ କରାଯାଉ। ଜିଲ୍ଲାର କୃଷି ସମ୍ବଳ ଓ କଞ୍ଚାମାଲକୁ ପାଥେୟ କରି କୃଷି ଭିତ୍ତିକ ସିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯାଉ। ପ୍ରତି ସପ୍ତହରେ ପ୍ରତି ଗ୍ରାମପଞ୍ଚାୟତରେ କୃଷି ଓ କୃଷକ ସମସ୍ୟା ଓ ଏହାର ଆଶୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଓ ଅଭିଯୋଗ ଶୁଣାଣୀ କରାଯାଉ ବୋଲି ଦାବି କରାଯାଇଛି।