ଦୁର୍ଗମ କାହ୍ନୁଗୁଡାକୁ ରାସ୍ତା ନଥିବା‌ ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ଅତି ଦୁର୍ଗମ ଗ୍ରାମ ହେଉଛି କାହ୍ନୁଗୁଡା। ସ୍ବାଧୀନତାର ୭୫ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ପକ୍କା ରାସ୍ତା ହୋଇପାରିଲା ନାହିଁ। ଦୀର୍ଘବର୍ଷ ଧରି ଏହି ଅଞ୍ଚଳର ଲୋକେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀ ପର୍ଯ୍ୟନ୍ତ ଗୁହାରି କରି ଥକି ଗଲେଣି। କିନ୍ତୁ କେହି ମଧ୍ୟ ଏହି ଗ୍ରାମବାସୀଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଆଜି ଶତାଧିକ ଗ୍ରାମବାସୀ ଏକତ୍ର ହୋଇ ପୁଣି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କାହ୍ନୁଗୁଡା ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହେବା ସହ ଅଶିକ୍ଷିତ ହୋଇ ରହୁଛନ୍ତି। ଏପରିକି ଗାଁକୁ ନଳକୂପ ଖୋଳିବା ଗାଡି ମଧ୍ୟ ପହଞ୍ଚି ପାରୁନଥିବାରୁ ଲୋକେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଏପରିକି ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ବହୁ କଷ୍ଟ ସ୍ବୀକାର କରୁଛନ୍ତି।

ବର୍ଷାଦିନ ହେଲେ କାହ୍ନୁଗୁଡା ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଏନେଇ ଗତବର୍ଷ ନଭେମ୍ବର ୧୧ ତାରିଖରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଗତବର୍ଷ ହିଁ ୧୫ ନଭେମ୍ବରରେ ପୁଣି ଗ୍ରାମବାସୀ ଏକତ୍ର ହୋଇ ବିଡିଓଙ୍କୁ ଭେଟି ରାସ୍ତା ପାଇଁ ଦାବି କରିଥିଲେ। ଏପରିକି ଗତବର୍ଷ ୨୮ ନଭେମ୍ବର ଜନଶୁଣାଣୀରେ ଦାବି କରାଯିବା ସହ ଡିସେମ୍ବର ୧୯ ତାରିଖ ଦିନ ପୁଣି ଭେଟି ଦାବି କରିଥିଲୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଦାବି ପୂରଣ ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ଗ୍ରାମବାସୀ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର