ରାୟଗଡା: ସାମାନ୍ୟ ବର୍ଷା ହେଲେ କାଦୁଅ ପଚପଚ ହୋଇ ଯାଉଛି ତଳଗୁରୁଠି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା।ଫଳରେ ଗ୍ରାମବାସୀ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଖାଲଢିପ ଭରା ମାଟି ରାସ୍ତାରେ ଦୈନନ୍ଦିନର ବାଧାପ୍ରାପ୍ତ ଯାତାୟାତକୁ ନେଇ ପଞ୍ଚାୟତ ସମିତି ରାୟଗଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସରପଞ୍ଚ ମଧ୍ୟ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ପ୍ରଶାସନିକ କ୍ଷେତ୍ରରେ ଗାଁ ଲୋକଙ୍କ ଗମନାଗମନର ଅସୁବିଧାକୁ ଦୂରେଇବାରେ କେହି କର୍ଣ୍ଣପାତ କରୁ ନଥିବାରୁ ଆଜି ତଳଗୁୁରୁଠିର କିଛି ଗ୍ରାମବାସୀ ନିଜ ପଞ୍ଚାୟତ ସରପଞ୍ଚ ତାମାରାଓ ବିଡିକାଙ୍କ ସହ ଯାଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ସାକ୍ଷାତ କରି ହାଲୁଆ ଠାରୁ କଲିଙ୍ଗି ଗ୍ରାମ ପର୍ଯ୍ୟନ୍ତ ୮କି.ମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ଏବଂ ସରପଞ୍ଚଙ୍କ ଠାରୁ ଗମନାଗମନର ଅସୁବିଧାକୁ ଶୁଣିବା ପରେ ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି ବିଧାୟକ ମକରନ୍ଦ ମଦୁଲି। ଏଥିସହ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀଙ୍କ ନିକଟକୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଚିଠି ପ୍ରେରଣ କରିଥିବା ଜଣାପଡିଛି।

Advertisment

ରାୟଗଡା ଜିଲ୍ଳା ସଦର ମହକୁମାର ଠାରୁ ମାତ୍ର ଆଠ କିଲୋମିଟର ଦୂରତାରେ ରହିଛି ସଦର ବ୍ଳକ ହାଲୁଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତଳଗୁରୁଠି ଗ୍ରାମ। ଏହି ଗ୍ରାମରେ ବସବାସ କରୁଛନ୍ତି ୭୫ ପରିବାର। ୩ କିଲୋମିଟର ଦୂରରେ ଥିବା  ସଦର ପଞ୍ଚାୟତକୁ ଯିବା ପାଇଁ ତଥା ଜିଲ୍ଳା ସଦର ମହକୁମାକୁ ଯିବା ପାଇଁ ତଳଗୁରୁଠି ଗ୍ରାମବାସୀଙ୍କୁ ଖାଲଢିପ ଭରା ଅଧା ମାଟି, ଅଧା ମରୁମ ପକାଯାଇଥିବା ରାସ୍ତା ଉପରେ ନିର୍ଭର କରିବାକୁ ପଡେ।ସାମାନ୍ୟ ବର୍ଷା ହେଉ କି ଲଗାଣ ବର୍ଷା ହେଉ ଏହି ରାସ୍ତାଟି କାଦୁଅରେ ଭରିଯାଏ। ଫଳରେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗାଁ ପିଲାମାନେ ସ୍କୁଲକୁ ଯିବା ହେଉ କି ପେନସନଧାରୀ ମାନେ ଭତ୍ତା ନେବା ପାଇଁ ପଞ୍ଚାୟତକୁ ଯିବାକୁ ହେଉ ବା ରୋଗୀଙ୍କୁ ମେଡିକଲ ନେବା ପାଇଁ ହେଉ ସମସ୍ତେ କାଦୁଅ ରାସ୍ତାରେ ବହୁ ହଇରାଣ ହରକତ ହୋଇଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ବିଶେଷ କରି ପକ୍କା ରାସ୍ତାଟିଏ ନ ଥିବାରୁ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଗାଁ ଲୋକେ ଅନେକ ସମୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଏହି ଗ୍ରାମକୁ କେବେ ରାସ୍ତା ନିର୍ମାଣ ହେଉଛି ଦେଖିବାକୁ ବାକି ରହିଲା।