ବିଶ୍ବ ପ୍ରେସ ସ୍ବାଧିନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସାମ୍ବାଦିକ ସଂଘର ଦାବିପତ୍ର ପ୍ରଦାନ

ରାୟଗଡା: ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଦୟାନନ୍ଦ ଖାଡ଼ାଙ୍ଗାଙ୍କ ନେତୃତ୍ବରେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଅଧିକାର ନେଇ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରିଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଅନେକ ହିତକର ଯୋଜନାମାନ ଲାଗୁ କରିଛନ୍ତି। କିନ୍ତୁ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ଵାରା କରାଯାଉଥିବା ମୌଳିକ ଦାବି ଗୁଡ଼ିକୁ ପୂରଣ କରିବାରେ ଅବହେଳା କରୁଥିବା ଅତି ଦୁଃଖ ଓ ପରିତାପର ବିଷୟ ବୋଲି କୁହାଯାଇଛି। ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ଦୁର୍ନୀତି ମୂଳକ ସମ୍ବାଦ ପରିବେଷଣ କରି ଦୁର୍ନୀତିଖୋର ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଯାହାଦ୍ଵାରା ସେମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ନିକଟ ଭବିଷ୍ୟତରେ ଛତିଶଗଡ଼ ସରକାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିଛନ୍ତି। ଯାହାଫଳରେ ସାମ୍ୱାଦିକ ମାନେ ଲୋକଙ୍କ ସମସ୍ୟା ଓ ହେଉଥିବା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହୋଇପାରିବ।

ଓଡ଼ିଶା ସରକାର ମଧ୍ୟ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ନିହାତି ଆବଶ୍ୟକ ରହିଛି ବୋଲି କୁହାଯାଇଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ପ୍ରଦାନ କରିଛି। କରାଯାଇଥିବା ଉକ୍ତ ଦାବି ଗୁଡ଼ିକ ମଧ୍ୟରେ, ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରିବା, ସ୍ବାସ୍ଥ୍ୟ ବୀମା ପାଇଥିବା ସାମ୍ୱାଦିକ ମାନଙ୍କ ଯାତାୟତ ନିମନ୍ତେ ରେଳ ପାସ ଓ ବସ ପାସ ପ୍ରଦାନ କରିବା, ବୀମା ପାଇଥିବା ସାମ୍ୱାଦିକଙ୍କୁ ସରକାରୀ ଅଧିସ୍ବୀକୃତି ପ୍ରଦାନ କରିବା, ସାମ୍ବାଦିକଙ୍କ ଅବସର ପରେ ଜୀବନବ୍ୟାପୀ ପେନସନ ଲାଗୁ କରିବା, ସାମ୍ବାଦିକଙ୍କ ପାଇଁ ସୁରକ୍ଷା ନିମନ୍ତେ ସୁରକ୍ଷା ଆଇନ ଲାଗୁ କରିବା ଇତ୍ୟାଦି ଦାବି ଉଲ୍ଲେଖ କରାଯାଇଛି। ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ଉପ ସଭାପତି ଶ୍ରୀନିବାସ ବଳିଆର ସିଂହ, ସମ୍ପାଦକ ମନୋଜ କୁମାର ସାହୁ ଓ ଉପଦେଷ୍ଟା ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର