ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କେନ୍ଦୁପତ୍ର ତୋଳାଳି, ସିଜନାଲ କର୍ମଚାରୀ ଓ ବନ୍ଧେଇ କର୍ମଚାରୀ

ମୁଖ୍ୟମନ୍ତ୍ରୀଙ୍କ ଉ‌ଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାୟଗଡା: ରାୟଗଡା ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ସିଜନାଲ କର୍ମଚାରୀ ଏବଂ ବନ୍ଧେଇ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗତ ୨୦୧୪-୧୫ ମସିହାରୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି, ସିଜନାଲ କର୍ମଚାରୀ ଏବଂ ବନ୍ଧେଇ କର୍ମଚାରୀଙ୍କୁ କେଏଲଡିଏଫ ଫଣ୍ଡରୁ ପ୍ରତିବର୍ଷ ବୋନସ ଓ ଅନ୍ୟାନ୍ୟ ନିରାପତ୍ତା ସହଯୋଗ ‌ରୋକି ଆସୁଥିଲେ। କିନ୍ତୁ ଚଳିତବର୍ଷ ଏହି ସହଯୋଗ ରାଜ୍ୟ ସରକରା ଘୋଷଣା କଲେ ନାହିଁ। କିନ୍ତୁ ମେ ୪ ତାରିଖରେ ବୋନସ ଘୋଷଣା ନକରି ୧୦୦୦ ଏବଂ ୧୫୦୦ ଟଙ୍କା ଦେବା ନେଇ ଘୋଷଣା କଲେ। ଏହାଦ୍ବାରା ସମସ୍ତ କେନ୍ଦୁପତ୍ର ଶ୍ରମିକମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ହେଲେ ବୋଲି ଅଭିଯୋଗ କରାଯାଇଛି। ଏକଚାଟିଆ ଭାବେ ଶ୍ରମିକ ବିରୋଧୀ ଘୋଷଣାକୁ ସଂଘ ତୀବ୍ର ବିରୋଧ କରିବା ସହ ଏହାର ତୁରନ୍ତ ସଂଶୋଧନ କରିବା ନେଇ ଦାବି କରାଯାଇଛି। ଏଥିସହ ଦୀର୍ଘ ୫ ବର୍ଷ ହେଲା ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇ ନଥିବାରୁ ସିଜନାଲ କର୍ମଚାରୀମାନେ ପୁରୁଣା ମଜୁରୀ ହାରରେ କ୍ଷତିଗ୍ରସ୍ତ ହୋଇ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। କନ୍ୟା ବିବାହ ସହାୟତା ମଧ୍ୟ ଏବର୍ଷ ଘୋଷଣା କରାଯାଇ ନାହିଁ। ଛାତ୍ର ବୃତ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି।

ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ବୋନସ ହେଉଛି ଆମର ଅଧିକାର, ତେଣୁ ତୁରନ୍ତ ବୋନସ ପ୍ରଦାନ କରାଯାଉ। ଓଡିଶା ବନ ଉନ୍ନୟନ ନିଗମ କେନ୍ଦୁପତ୍ର ସଂସ୍ଥାରୁ କେତେ କମିସନ ନେଉଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁ ନାହିଁ। ଏଥିପାଇଁ ମନମୁଖୀ ଭାବେ କମିସନ କଟା ନଯାଇ, ପୂର୍ବରୁ ଯେପରି ୪ ପ୍ରତିଶତରୁ ୬ ପ୍ରତିଶତ କମିସନ ଦିଆଯାଉ। କେନ୍ଦୁପତ୍ର ତୋଲାଳି ଓ କର୍ମଚାରୀଙ୍କ କନ୍ୟା ବିବା ପାଇଁ ୫୦ ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରାଯାଉ। ସିଜନାଲ କର୍ମଚାରୀଙ୍କ ମାଶିକ ମଜୁରୀକୁ ବୃଦ୍ଧି ସହ ଅତିଶୀଘ୍ର ସର୍ବନିମ୍ନ ମଜୁରୀ ଘୋଷଣା କରାଯାଉ। ସିଜନାଲ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ପ୍ରଣୟନ କରାଯାଉ। ମୁନସି ଓ ଚପରାସୀଙ୍କ କାର୍ଯ୍ୟକାଳ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୯୦ ଦିନ ଓ ୬୦ ଦିନ ଘୋଷଣାକୁ ଦୃଢ ଭାବରେ କାର୍ଯ୍ୟକାରୀ କରାଯାଉ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଛାତ୍ର ବୃତ୍ତି ଶୀଘ୍ର ଘୋଷଣା କରାଯାଉ। ସିଜନାଲ କର୍ମଚାରୀଙ୍କ ଟିଏ-ଡିଏ ଗତ ୧୦ ବର୍ଷ ହେଳା ବୃଦ୍ଧି କରାଯାଇ ନାହିଁ। ଏହା ତୁରନ୍ତ ବୃଦ୍ଧି କରାଯାଉ। କେନ୍ଦୁପତ୍ରରୁ ଜିଏସଟି ଉଠାଯାଉ।କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନଙ୍କ ଅବସର କାଳୀନ ବୟସକୁ ୬୦ ବର୍ଷ କରାଯାଉ। ୬୨ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ସାମାଜିକ ନିରାପତ୍ତା ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି। ଆଜିର ଏହି ଦାବି ପ୍ରଦାନ ବେଳେ ଦିନବନ୍ଧୁ ବାଡକା, ସୁରସେନ ପାତ୍ର, ଅର୍ଜୁନ ହୁଇକା, ତ୍ରିନାଥ ଦଳାଇ, ନବୀନ ମହାନନ୍ଦିଆ, ପୁଲସିକା କାଡ୍ରାକା, ସନ୍ତୋଷ କୁମାର କୁନାକା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର