ରାୟଗଡା: ଆଜି ରାୟଗଡା ଜିଲ୍ଲା ଜନ ଜାଗରଣ ମଞ୍ଚ ଲୋକ ସଙ୍ଗଠନ, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ରାୟଗଡା ଷ୍ଟେସନ ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନିକଟରେ କରାଯାଇଥିବା ସର୍ଭେ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସହିତ ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହ ହେତୁ ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ, ପୃଷ୍ଟିଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଯାହାକି ସେମାନଙ୍କ ଜୀବନ ଧାରଣରେ ସମସ୍ୟା ଉପଜୁଛି। ସେଥିପାଇଁ ସଙ୍ଗଠନ ୧୨ ଦଫା ଦାବି ଗୁଡିକ ସରକାର ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। ସେଗୁଡିକ ମଧ୍ୟରୁ ସମସ୍ତ ପରିବାରକୁ ଶୁଦ୍ଧ ପିଇବା ପାଣି ଯୋଗାଇଦେବା, ପିଇବା ପାଣି ଉତ୍ସଗୁଡ଼ିକୁ ମରାମତି ଓ ଶୋକ ପିଟ ନିର୍ମାଣ କରିବା। ସମସ୍ତ ଯୋଗ୍ୟ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଯୋଗାଇବା। ବାଦ ପଡ଼ିଥିବା ସମସ୍ତ ପରିବାରକୁ ତୁରନ୍ତ ବିଦୁତ ସଂଯୋଗ ଯୋଗାଇଦେବା। ସମସ୍ତ ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗମାନଙ୍କୁ ତୁରନ୍ତ ଭତ୍ତା ଯୋଗାଇବା ଓ ତାର ପରିମାଣ ୨୦୦୦ ଟଙ୍କାକୁ ବୃଦ୍ଧି କରାଇବା ଓ ହାତରେ ନଗଦ ଆକାରରେ ଘରେ ଘରେ ପ୍ରଦାନ କରିବା। ସମସ୍ତ ଯୋଗ୍ୟ ପରିବାରକୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ଗ୍ରାମଗୁଡିକୁ ସାମୁହିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ। ସମସ୍ତ ଯୋଗ୍ୟ ପରିବାରକୁ ଘର ଢିହ ପଟ୍ଟା ପ୍ରଦାନ କରାଯାଉ। ସମସ୍ତ ଚାଷ ଜମିକୁ ଜଳସେଚନ ଯୋଗାଇବା ଓ ସମସ୍ତ ଚେକ ଡ୍ୟାମ, କେନାଲ, ଉଠା ଜଳସେଚନ ପଏଣ୍ଟ ଗୁଡ଼ିକୁ ତୁରନ୍ତ ମରାମତି କରାଯାଉ।

Advertisment

publive-image Sambad

ସମସ୍ତ ଚାଷୀ ପରିବାରକୁ ରବି ଋତୁରେ ଚାଷ ନିମନ୍ତେ ସେପ୍ଟେମ୍ବର ସୁଦ୍ଧା ଡାଲି ଜାତୀୟ ବିହନ ଯଥା ମୁଗ, ବିରି, ଚଣା ଓ କୋଳଥ ଆଦି ବିହନ ଯୋଗାଇ ଦିଆଯଉ।ପାକଶାଳା ବଗିଚା ପାଇଁ ସମସ୍ତ ପରିବାରକୁ ପନିପରିବା ବିହନ କିଟ ତୁରନ୍ତ ପ୍ରଦାନ କରାଯାଉ। ପରିବାରର ବାଦ ପଡ଼ିଥିବା ସଦସ୍ୟ/ସଦସ୍ୟା ମାନଙ୍କୁ ତୁରନ୍ତ ରାସନ କାର୍ଡରେ ନାମ ପଞ୍ଜୀକରଣ କରାଯାଉ। ସମସ୍ତ ବିଦ୍ୟାଳୟ ଗୁଡିକରେ ଭିତିଭୂମି ଯଥା ଶ୍ରେଣୀ ଗୃହ, ରୋଷେଇ ଘର, ଶୁଦ୍ଧ ପିଇବା ପାଣି, ଖେଳ ପଡିଆ, ଶୌଚାଳୟ ଓ ପାଚେରୀ ଆଦି ମରାମତି ଏବଂ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରାଯାଉ। ୧୫୦ରୁ ଉର୍ଦ୍ଧ ପଡା ଗ୍ରାମ ଗୁଡିକରେ ତୁରନ୍ତ ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତିଭୂମି ଯଥା ପକା ଗୃହ ନିର୍ମାଣ, ପିଇବା ପାଣି, ଶୌଚାଳୟ, ରୋଷେଇ ଗୃହ ଓ ପାଚେରୀ ନିର୍ମାଣ କରାଯାଉ ବୋଲି ଦାବି କରାଯାଇଛି। ଆଜିର ଏହି ଦାବି ପ୍ରଦାନ ବେଳେ ଜନ ଜାଗରଣ ମଞ୍ଚ ଲୋକ ସଂଗଠନର ଜାଣ୍ଡୁ ହିକକା, ବୃନ୍ଦାବନ ବାଡାକା, ସଂଜୀବ ମାଝୀ, ଭାଗିରଥି ଯାନୀ, ଶାବି ଝୋଡ଼ିଆ, କାଁହୁ ଝୋଡ଼ିଆ, ଅନିରୁଦ୍ଧ ଝୋଡ଼ିଆ, ସିଂହ ଗୌଡ଼,ସୁଶାନ୍ତ ତୋଇକା, ସନ୍ତୋଷିନୀ ଶବର, ରାଇମତି ହୁଇକା, କୁଶ ପ୍ରଧାନୀ, ସୁଧୀର ଗମାଙ୍ଗ, ଜେମ୍ସ ଶବର, ସୀମାଞ୍ଚଳ ନାୟକ, ସୁମିତ୍ରା କୁଲସିକା, ଲଷ୍ମୀ ଶବର, ଦେବେନ୍ଦ୍ର ସୁନା ଓ ସୁରେଶ ମିଣିଆକା, ନରେଶ ତୋଇକା, ମହେନ୍ଦ୍ର ଜାଗାରେଙ୍ଗା, କେବ୍ରା ଜାଗାରେଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।