ରାୟଗଡା: ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସୟୁଯେ(ଓ)ର ରାୟଗଡା ଜିଲ୍ଲା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ନେତୃତ୍ୱରେ ସଙ୍ଘ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ, ଉପସଭାପତି ସହଦେବ ସାହୁ, ସଭ୍ୟ ଗୌରୀ ପ୍ରସାଦ ପଟ୍ଟନାୟକ, କମଳ ଲୋଚନ ଓ ଅନ୍ୟମାନେ ଉପସ୍ଥିତ ରହି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହ ଦାବିପତ୍ରରେ ମହାରାଷ୍ଟ୍ର ଓ ଛତିଶଗଡ଼ ଢାଞ୍ଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ସହିତ ଚିକିତ୍ସାର ଯାବତୀୟ ଖର୍ଚ୍ଚକୁ ବୀମା ଅର୍ଥରୁ ଭରଣା କରାଯିବା ସହ ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ ଯଥା- ରୋଗାଗ୍ରସ୍ତ, ଦୁର୍ଘଟଣାରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାରଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ କରିବା।ସାମ୍ବାଦିକର ଅକାଳ ବିୟୋଗରେ ପରିବାରକୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶିକୁ ଅତି କମରେ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା। ରାଜଧାନୀ ଭୁବନେଶ୍ୱର ଓ କଟକକୁ ଯାଉଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକ ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବା।କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ଅତିକମରେ ମାସିକ ୧୫ ହଜାର ଟଙ୍କା ଭତ୍ତା ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରିବା। ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମାରେ କମ୍ପ୍ୟୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ ସାମ୍ବାଦିକ ପ୍ରକୋଷ୍ଠ ନିର୍ମାଣ କରିବା।
ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ପୂର୍ବବତ ସେହି ଢାଞ୍ଚାକୁ ଅପରିବର୍ତ୍ତିତ ରଖିବା।ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ ପୋର୍ଟାଲ ସାମ୍ବାଦିକ ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରିବା। ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକକୁ ଅଧିସ୍ବୀକୃତି ପ୍ରଦାନ କରନ୍ତୁ ଏବଂ ଜିଲ୍ଲା, ସବ-ଡିଭିଜନ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକମାନଙ୍କୁ ସଭ୍ୟ ଭାବେ ନିଆଯାଉ ବୋଲି ପ୍ରମୁଖ ଦାବି ଗୁଡିକ ଉଲ୍ଲେଖ ରହିଛି ନବୀନ ସରକାରର ସମସ୍ତ କଲ୍ୟାଣକାରୀ ଯୋଜନା ଓ ସୁଶାସନ ନେଇ ଓଡ଼ିଶାର ସାମ୍ବାଦିକ ମାନେ ଖବର ପରିବେଷଣ କରି ଚାଲିଛନ୍ତି। ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣର ଶୀକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏସୟୁଯେ ସାମ୍ବାଦିକ ସଙ୍ଘ ପକ୍ଷରୁ ଉପରୋକ୍ତ ସମସ୍ତ ଦାବି ଗୁଡିକୁ ରାଜ୍ୟ ସରକାର ଅବିଳମ୍ବେ ପୂରଣ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦର୍ଶନ କରିବେ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ଗଉଡ ପ୍ରକାଶ କରିଛନ୍ତି।