ରାୟଗଡା: ରାୟଗଡା ନିର୍ବାଚନୀ ମଣ୍ଡଳୀ ବିଧାୟକ ମକରନ୍ଦ ମୁଦୁଲିଙ୍କ ନେତୃତ୍ଵରେ କାଶୀପୁର ବ୍ଲକ ଅନ୍ତର୍ଗତ ଡିମୁଣ୍ଡି ଏବଂ ଡି. କରଳ ଉପର ସାହିର ଏକ ପ୍ରତିନିଧି ମଣ୍ଡଳୀ ଦୁଇଟି ଗ୍ରାମର ବିସ୍ଥାପନ ସମସ୍ୟା ଦାବୀ ସମ୍ବଳିତ ସ୍ମାରକପତ୍ର ଆଜି ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ଆଇନ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଭୁବନେଶ୍ବରରେ ଭେଟି ପ୍ରଦାନ କରିଥିଲେ। ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ଏହି ଦୁଇଟି ଗ୍ରାମର ବାସିନ୍ଦା  ନିଜର ବିସ୍ଥାପିତ ସମସ୍ୟା ବିଷୟରେ ଦୁଇ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ। ଡିମୁଣ୍ଡି ଏବଂ ଡି. କରଳ ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତି ଲୋକ  ବସବାସ କରନ୍ତି। ଆଦିବାସୀ ଦଳିତ ଅଧ୍ୟୁଷିତ ଡ଼ିମୁଣ୍ଡି ଗ୍ରାମକୁ ଲାଗି ଉତ୍କଳ ଆଲୁମିନା କମ୍ପାନି ପ୍ରତିଷ୍ଠା ହୋଇଛି ଏବଂ କନଭେୟର ବେଲ୍ଟ ଲାଗି ରହିଛି ଯାହାଦ୍ଵାରା ଉକ୍ତ ଗ୍ରାମ ବାସିନ୍ଦା ଶବ୍ଦ ପ୍ରଦୁଷଣ, ବାୟୁ ପ୍ରଦୁଷଣ, ମୃତ୍ତିକା ପ୍ରଦୂଷଣ, ଜଳ ପ୍ରଦୁଷଣ ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment

ଫଳରେ, ଶୋଇବା, ଖାଇବା ଏବଂ ବଞ୍ଚିବା କଷ୍ଟ ସାଧ୍ୟ ହେଉଛି, ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ରୋଗର ଶିକାର ହେଇ ରୋଗାକ୍ରାନ୍ତ ହେଉଛନ୍ତି। ସେହିପରି ଡି. କରଳ ଗ୍ରାମର ଉପର ସାହିରେ ମଧ୍ୟ ସେଭଳି ସ୍ବାସ୍ଥ୍ୟ ଏବଂ ପ୍ରଦ୍ୟୁଷଣ ସମସ୍ୟାରୁ ବାଦ୍ ପଡିନାହିଁ। ଡି. କରଳ ଗ୍ରାମର ତଳ ସାହିକୁ ଡି.ପି କଲୋନୀ ମାନ୍ୟତା ମିଳିଥିଲେ ସୁଦ୍ଧା ଉପର ସାହିକୁ ଡି.ପି ମାନ୍ୟତା ମିଳି ନାହିଁ। ତେଣୁ ଡିମୁଣ୍ଡି ଏବଂ ଡି. କରଳ ଉପର ସାହିକୁ ଡି.ପି କଲୋନୀ ମାନ୍ୟତା ପ୍ରଦାନ କରାଯିବାକୁ ମନ୍ତ୍ରୀଙ୍କ ସମ୍ମୁଖରେ ଦୁଇଟି ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି। ଉକ୍ତ ପ୍ରତିନିଧି ମଣ୍ଡଳରେ ପୁରନ୍ଧର ଝୋଡ଼ିଆ, ହଳଧର ନାଏକ, ପ୍ରଭୁଦାନ ଟାକ୍ରୀ, ଧରମ ଦାସ ନାଏକ, ସରୋଜିନୀ ନାଏକ, ଦମୟନ୍ତି ମୁଦୁଲି, ଶଶିମଣି ନାଏକ, ସୁକେଶିନି ନାଏକ, ସାବିତ୍ରୀ ଝୋଡିଆ, ରୋହିନା ନାଏକ, ସମାଜ ସେବୀ ଶଙ୍କର ପ୍ରସାଦ ଦୁରିଆ, ରାୟଗଡ଼ା ବିଧାୟକଙ୍କ ବ୍ୟକ୍ତିଗତ ସଚିବ ଦେବଗିରି ପଟନାୟକ ଉପସ୍ଥିତ ଥିଲେ। ସମସ୍ତ ସମସ୍ୟା ବିଷୟରେ ବୁଝିବା ପରେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମନ୍ତ୍ରୀ ଦ୍ବୟ ଯଥାଶୀଘ୍ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରତି ଦେଇଥିବା ପ୍ରତିନିଧି ମଣ୍ଡଳୀ ପକ୍ଷରୁ ପ୍ରକାଶ କରାଯାଇଛି।