ଇଡ୍‌କୋର ସ୍ଥିତିବାନ ଜମି ଅଧିଗ୍ରହଣ ବିରୋଧରେ ଦୁର୍ଗାପୁର ବାସିନ୍ଦାଙ୍କ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ସୀମାନ୍ତରେ ଥିବା ଜଟଣୀ ତହସିଲ ଅନ୍ତର୍ଗତ ଦୁର୍ଗାପୁର ଠାରେ ଇଡ୍କୋ ୮ ଏକର ୮୩୪ ଡେସିମଲ ଘରୋଇ ସ୍ଥିତିବାନ ଜମି ଅଧିଗ୍ରହଣ କରିବାକୁ ନୋଟିସ୍ ଜାରି କରିଛି। ତେବେ ଏନେଇ ଗ୍ରାମସଭା ଓ ଭୂମି ମାଲିକଙ୍କ ସହମତିରେ ଜମି ଅଧିଗ୍ରହଣ କରାଯିବାକୁ ନିୟମ ରହିଥିବା ବେଳେ ଇଡ୍କୋ ନାମକୁମାତ୍ର ଜନଶୁଣାଣି କରି ଜମି ଅଧିଗ୍ରହଣ କରିବାକୁ ପୁଣିଥରେ ନୋଟିସ ଦେଇଛି। ଏହାର ବିରୋଧରେ ଆଜି ଦୁର୍ଗାପୁର ବାସିନ୍ଦା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ରାଜସ୍ୱ ବିଭାଗ ପକ୍ଷରୁ ୧୯ ନଭେମ୍ବର ୨୦୨୨ରେ ୮ ଏକର ୮୩୪ ଡେସିମଲ ଘରୋଇ ସ୍ଥିତିବାନ ଜମି ଅଧିଗ୍ରହଣ କରିବାକୁ ନୋଟିସ ଜାରି କରିଥିଲେ। ଏନେଇ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭ୍ଲପମେଣ୍ଟ ଷ୍ଟଡିଜ୍ ପକ୍ଷରୁ ଏକ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ କରାଯାଇଥିଲା। ଘରୋଇ ଜମି ଅଧିଗ୍ରହଣ ବେଳେ ଗ୍ରାମସଭା ଓ ଭୂମି ମାଲିକଙ୍କ ସହମତି ଅନୁସାରେ ଜମି ଅଧିଗ୍ରହଣ କରାଯିବା ନିୟମ ରହିଛି।

ଏଣୁ ୨୦ ଡିସେମ୍ବର ୨୦୨୨ରେ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଜନଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା। ଚଳିତ ମାସ ୨୪ ତାରିଖରେ ଛତାବର ପଂଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଡେପୁଟି ଜିଲ୍ଲାପାଳ ତଥା ଜମି ଅଧିଗ୍ରହଣ ଅଧିକାରୀ, ଅତିରିକ୍ତ ଜମି ଅଧିଗ୍ରହଣ ଅଧିକାରୀ ତଥା ଜଟଣୀ ତହସିଲଦାର ଓ ଛତାବର ସରପଂଚ ଉପସ୍ଥିତ ଥିଲେ। ଏଥିରେ ଭୂମି ମାଲିକମାନେ ନିଜର ଜମି ଦେବାକୁ ମନା କରିଥିଲେ। ଏହା ସତ୍ୱେ ପୁଣିଥରେ ଜମି ଅଧିଗ୍ରହଣ କରିବାକୁ ରାଜସ୍ୱ ବିଭାଗ ନୋଟିସ୍ ଜାରି କରିଛି। ପ୍ରଶାସନର ଏଭଳି ଖାମଖିଆଲ ମନୋଭାବ ବିରୋଧରେ ପୁଣିଥରେ ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ଇଡ୍କୋ ଦ୍ୱାରା ହେଉଥିବା ଜମି ଗ୍ରହଣ, କ୍ଷତିପୂରଣ ଆଦି ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଛନ୍ତି।

ସମ୍ବନ୍ଧିତ ଖବର