ଭାଲେରୀ ସରକାରୀ ଉଚ୍ଚବିଦ୍ୟାଳୟରେ ୧୦ମ ପରୀକ୍ଷା କେନ୍ଦ୍ର ବଦଳାଇବା ବିରୋଧରେ ଦାବିପତ୍ର

ଖୋର୍ଦ୍ଧା: ଚିଲିକା ବ୍ଲକ ଅନ୍ତର୍ଗତ ଚାଷଙ୍ଗରା ଭାଲେରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂର୍ବରୁ ହେଉଥିବା ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯିବାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଚଞ୍ଚକତା କରି ପରୀକ୍ଷା କେନ୍ଦ୍ର ବଦଳାଯାଇଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଧର୍ମପଦ ସାମନ୍ତରାୟ, ମହେନ୍ଦ୍ର କୁମାର ନରେନ୍ଦ୍ର ସିଂହବର୍ମା, ସରୋଜ କୁମାର ଜେନା, ସବିତା ସାହୁ, ଅଞ୍ଜଳୀ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଗତ ୬ ବର୍ଷ ଧରି ଭାଲେରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହେଉଥିଲା। ଚଳିତବର୍ଷ ଏହି ସ୍କୁଲର ୧୦୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ଚଳିତବର୍ଷ ଏଠାରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ପରିବର୍ତ୍ତନ କରାଯାଇ ୭ କିଲୋମିଟର ଦୂର ବଡ଼କୂଳରେ ଥିବା ଚିଲିକା ନୋଡାଲ୍ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। କେବଳ ଏହାନୁହେଁ, ଚଳିତବର୍ଷ ରାଜ୍ୟ ଗଣଶିକ୍ଷା ବିଭାଗ କହିଥିଲେ ଯେ ଯେଉଁ ସ୍କୁଲର ଛାତ୍ରଛାତ୍ରୀ ସେହି ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତରିତ ହୋଇଥିବା ସ୍କୁଲ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ, ରେଳବାଇ ଲେଭଲ କ୍ରସିଂ ରହିଛି। ଏହାସହ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏତେ ଦୂର ଏଭଳି ବିପଦସଙ୍କୁଳ ରାସ୍ତାରେ ଯାଇ ପରୀକ୍ଷା ଦେବାରେ ଅନେକ ସମସ୍ୟା ହେବ। ଏଣୁ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ପୂର୍ବଭଳି ଭାଲେରୀ ଉଚ୍ଚ ବିଦ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯିବା ସେମାନେ ଜିଲ୍ଳାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅନୁରୋଧ କରିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି।

ସମ୍ବନ୍ଧିତ ଖବର