ରାୟଗଡା: ରାୟଗଡା ଜିଲ୍ଲାର ସମିତି ସଭ୍ୟ ଓ ସଭ୍ୟା ପରିବାର ତରଫରୁ ଶୁକ୍ରବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ୧୧ ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା।ଜିଲ୍ଲା ସଭାପତି ସୁବାବ ପ୍ରାସ୍କାଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସଭ୍ୟ ଓ ସଭ୍ୟାମାନେ ଏକ ବିରାଟ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନାରାବାଜି କରିବା ସହ ସେମାନଙ୍କର ଦାବିକୁ ତୁରନ୍ତ ପୂରଣ କରିବାକୁ ଦାବି କରିଥିଲେ। ସମିତି ସଭ୍ୟ ଓ ସଭ୍ୟମାନଙ୍କର ଦାବି ମଧ୍ୟରେ ରହିଛି ସମିତି ସଭ୍ୟ ପାଣ୍ଠି ବାର୍ଷିକ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ। ପ୍ରତି ପଞ୍ଚାୟତରେ ସମିତି ସଭ୍ୟଙ୍କ ପାଇଁ ଏକ ଅଫିସ ଗୃହ ରହିବା ଦରକାର।
ସେହିପରି ଗ୍ରାମ ପଞ୍ଚାୟତର ସମସ୍ତ ବୈଠଖରେ ସମିତି ସଦସ୍ୟ ଓ ସଦସ୍ୟା ମାନଙ୍କର ଯୁଗ୍ମ ସ୍ବାକ୍ଷର ରହିବାର ଦରକାର, ଏମଜିଏନଆରଜିଏରେ ସ୍ବଚ୍ଛତା ଆଣିବା ପାଇଁ ସମିତି ସଭ୍ୟମାନଙ୍କର କାଉଣ୍ଟର ଦସ୍ତଖତ ରହୁ, ସରକାରଙ୍କର ଯେକୌଣସି ଉନ୍ନୟନ କାର୍ଯ୍ୟର ଚିଠିର ନକଲ ସମିତି ସଭ୍ୟଙ୍କୁ ପ୍ରଦାନ କରାଯାଉ, ସମିତି ବୈଠକରେ ସମିତିସଭ୍ୟ ମାନେ ହିଁ କେବଳ ସ୍ଥାୟୀ ସଦସ୍ୟ ରହିବା ଦରକାର, ସରପଞ୍ଚ ଭଳି ସମିତି ସଭ୍ୟଙ୍କର ସମସ୍ତ ପ୍ରମାଣ ପତ୍ରରେ ସ୍ବାକ୍ଷର ରହିବା ଦରକାର, ଗ୍ରାମ ପଞ୍ଚାୟତ ଓ ସମିତି ବୈଠକରେ ସମସ୍ତ ସମିତି ସଭ୍ୟ ଓ ସଭ୍ୟାଙ୍କୁ ଡକାଯାଉ। ମାସିକ ୨୦ ହଜାର ଟଂକା ସହ ଅବସରକାଳୀନ ଭତ୍ତା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉ। ୧୦ ଲକ୍ଷ ଟଙ୍କାର ଜୀବନ ବୀମା ସହ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ରଖାଯାଉ ବୋଲି ଦାବି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-Samiti-sabhya-sangh-rally-1.jpg)