ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ବୈପାରିଗୁଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ରହିଥିବା ଅନିୟମିତତାକୁ ନେଇ ବୈପାରିଗୁଡା ବ୍ଲକ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ବିଜେପି ସାଧାରଣ ସଂପାଦକ ଚନ୍ଦ୍ରଶେଖର ରଥଙ୍କ ଅଧ୍ୟକ୍ଷତାରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଗୃହହୀନ ଗରିବ ତଥା ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ବାସଗୃହ ପ୍ରଦାନ କରିଛନ୍ତି। କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ବହୁ ଅଯୋଗ୍ୟ ହିତାଧୀକାରୀଙ୍କୁ ବାସଗୃହ ପ୍ରଦାନ ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିବାରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଆପତ୍ତି ଉଠାଯାଇଛି। ତଥାପି ରାଜ୍ୟ ସରକାର ନିଜର ତୃଟି ସଂଶୋଧନ କରୁନାହାନ୍ତି। ରାଜ୍ୟ ସରକାର ୨୭ ଲକ୍ଷ ବାସହୀନଙ୍କ ପାଇଁ ଗୃହର ଆବଶ୍ୟକତା ରହିଥିବା ଦର୍ଶାଇ ଗୃହ ଯୋଗାଇ ଦେବା ପାଇଁ ଆବେଦନ କରିଥିବା ବେଳେ ପ୍ରଥମ ଦଫାରେ ୧୮ ଲକ୍ଷ ଏବଂ ବର୍ତ୍ତମାନ ୯ ଲକ୍ଷ ୫୮ ହଜାର ଗୃହ ମଂଜୁର କରିଛନ୍ତି।

ବର୍ତମାନ ସରକାର ନିଜେ ସଠିକ ତାଲିକା ପ୍ରସ୍ତୁତ ନକରି ସାଧାରଣ ଲୋକଙ୍କ ଉପରେ ଦାୟିତ୍ଵ ଲଦି ଦେଇଥିବାରୁ ପ୍ରତି ଗ୍ରାମରେ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ସରକାର ନିଜେ ନିର୍ଭୁଲ ଏବଂ ନିରପେକ୍ଷ ଭାବେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଗୃହ ବଣ୍ଟନ କରିବା ଦାୟିତ୍ବ ନିଅନ୍ତୁ। ସ୍ମାରକପତ୍ର ପ୍ରଦାନର ସାତ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଧାନ ସଭା ଘେରାଉ କରାଯିବ। ଆଜି ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କୁ ଭେଟି ବ୍ଲକ ବିଜେପି ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ଜି. ଜଗା ରାଓ,ସୀମାଞ୍ଚଳ ନାୟକ, ଭଜମନ ଗୈାଡ, ଚଇତୁ ମୁଦୁଲି, ମୁଦି ହରିଜନ, ଉଦ୍ଧବ ମାଟାମ, କୋମଳ ଲୋଚନ ମାଝୀ, ଡାଲିଆ ମାଝୀ, ଖଗେଶ୍ବର ମାଳି, ଡମ୍ବରୁଧର ମୁଦୁଲି, କେଶବ ଖିଲ, ଧନପତି ନାୟକ,ଦାଶ ମାଳି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର