ମାଳିପଦର ଏନକାଉଣ୍ଟର ଘଟଣାରେ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି

ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି: କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ମାଳିପଦର ଗ୍ରାମରେ ଗତ ୧୦ ତାରିଖ ଦିନ ହୋଇଥିବା ଏନକାଉଣ୍ଟରରେ ମାଥିଲି ବ୍ଲକର ଭେଜାଗୁଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମର ଧନ କମାର ମୃତ୍ୟୁବରଣ କରିଥିଲେ।ତେବେ ସେ ଘରର ଜଣେ ମାତ୍ରର ରୋଜଗାରିଆ ଥିଲେ। ତେବେ ସେ ମାଓବାଦୀ ନଥିବା ଏବଂ ପେଟ ପାଇଁ ଗଞ୍ଜେଇ ବୋହି ନେଇ ଯାଉଥିଲେ ବୋଲି ଭାଇ ଗୁରୁ କମାର ଆଜି ମାଥିଲି ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମୃତ ଧନ କମାରଙ୍କ ପତ୍ନୀ, ବୃଦ୍ଧ ବାପା ଏବଂ ପିଲାମାନଙ୍କ ସହ ଆଜି ଜିଲ୍ଲାପାଳଙ୍କ ସାକ୍ଷାତ କରିଥିଲେ। ତେବେ ଦାବିପତ୍ରରେ ସଂପୂର୍ଣ୍ଣ ବିବରଣୀ ଭାଇ ଗୁରୁ କମାର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଗୁରୁ କମାର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କିଛି ଗଞ୍ଜେଇ ବେପେରୀ ତାଙ୍କ ଭାଇ ସହ ଆଉ ଅନ୍ୟ ଲୋକଙ୍କୁ ମିଶାଇ ୯ ଜଣଙ୍କୁ ଚିତ୍ରକୋଣ୍ଡା ନେଇଥିଲେ। ସେଠାରୁ ନବରଙ୍ଗପୁର ନେବା ପାଇଁ ମନ ମୁତାବକ ପାରିଶ୍ରମିକ ଦେବେ ବୋଲି କହିଥିଲେ। ତେବେ ସେମାନେ ଗତ ୪ ତାରିଖ ଦିନ ଚିତ୍ରକୋଣ୍ଡା ଯାଇଥିଲେ। ତେବେ ସେଥିରେ ସର୍ଗିଗୁଡା ଗ୍ରାମର ଧନ କମାର, ଭଗବାନ ଧର୍ମା ସମେତ ଭେଜାଗୁଡା ଗ୍ରାମର ୨ ଜଣ, ମେକା ଗ୍ରାମର ୨ ଜଣ ଏବଂ ନବରଙ୍ଗପୁର ଜିଲ୍ଲାର ୩ ଜଣ ରହିଥିଲେ। ତେବେ ୮ ତାରିଖରେ ସର୍ଗିଗୁଡାରେ ପହଞ୍ଚିବା ପରେ ରାତିରେ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ତେବେ ୧୦ ତାରିଖ ଦିନ ବୈପାରିଗୁଡା ବ୍ଲକର ମାଳିପଦର ଜଙ୍ଗଲରେ ପୁଲିସ ସହ ସାମ୍ନାସାମ୍ନି ହୋଇ ପୁଲିସ ଗୁଳିରେ ଦୁଇଜଣ ନିହତ ହୋଇଥଲେ।

ତେବେ ମୃତ ଖବର ପାଇ ଗୁରୁ ଜୟପୁର ଡାକ୍ତରଖାନାକୁ ଯାଇଥିଲେ। ତେବେ ସେ ଅନ୍ୟ ଜଣେ ଏନକାଉଣ୍ଟରରେ ମୃତ୍ୟୁବରଣ କରଥିବା କୁହାଯାଇଥିଲା। ସେମାନେ ମାଓବାଦୀ ବୋଲି କୁହାଯାଇଥିଲା। ୧୩ ତାରିଖରେ ମୋ ଭାଇଙ୍କ ଶବକୁ ଗାଁରେ ପହଞ୍ଚାଯାଇଥିଲା। ମୋ ଭାଇ ସରାକରୀ ସମସ୍ତ ସୁବିଧା ସୁଯୋଗ ପାଇ ତାର ପରିବାରର ପ୍ରତିପୋଷଣ କରୁଥିଲା। ସେ କେବେ ମଧ୍ୟ ମାଓବାଦୀ ନୁହେଁ, କି ଅନ୍ୟମାନେ ମଧ୍ୟ ମାଓବାଦୀ ନୁହନ୍ତି ବୋଲି ଗୁରୁ କହିଛି। ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ ମଝିରେ ମଝିରେ ଗଞ୍ଜେଇ ଚାଲାଣରେ ସହଯୋଗ କରିଥାଏ।ସେହିଦିନ ପୁଲିସ ଏମାନଙ୍କୁ ଧରିବା ପରେ ପ୍ରାୟ ଅଧଘଣ୍ଟା ପଚରାଉଚରା କରିଛନ୍ତି। ଏଥିସହ ଜଣକୁ ଧରି ଟଣାଅଟରା କରିଥିଲେ। ତେବେ ଏମାନେ ପ୍ରାଣ ବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଫୁଟିଥିଲା। ଯାହାଫଳରେ କୋଷାଗୁମଡା ଅଞ୍ଚଳର ଜୟ କୁମାର ନାଗଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ମାଓବାଦୀ ବୋଲି ଏନକାଉଣ୍ଟର କରିବା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହାର ବିହିତ ତଦନ୍ତ କରି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏଥିସହ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର