ଜନବସତିରେ ବରୁଣେଇ କଲଭର୍ଟ ପାଣି, ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଲଗାଣ ବର୍ଷାଜନିତ ସମସ୍ୟା ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ନେଇ ଆଜି ବରୁଣେଇ ନଗର ବାସିନ୍ଦା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇଛନ୍ତି । ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା –ବରୁଣେଇ ରାସ୍ତା କଡ଼ରେ ଥିବା ବରୁଣେଇ ନଗରର ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ବର୍ଷାଜଳ ନିଷ୍କାସନ ଓ ତ୍ରୁଟିପୂର୍ଣ୍ଣ କଲଭର୍ଟ ନିର୍ମାଣ ସମ୍ପର୍କରେ ଜଣାଇବାକୁ ଆସିଥିଲେ । ଜିଲ୍ଳାପାଳଙ୍କ ଅନୁପସ୍ଥିତରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବା କଥା ଯେ, ବରୁଣେଇ ଓଭରବ୍ରିଜ୍ ନିର୍ମାଣ ଯୋଗୁଁ ବରୁଣେଇ କଲଭର୍ଟ ଦେଇ ବରୁଣେଇ ପାହାଡ଼ରୁ ଆସୁଥିବା ବର୍ଷାଜଳ ସେମାନଙ୍କ ଜନବସତିରେ ପ୍ରବେଶ କରୁଛି ।

ଫଳରେ ଅଂଚଳ ଜଳମଗ୍ନ ହେବା ସହ ପ୍ରାୟ ୨୫ଜଣଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି । କେବଳ ଏହାନୁହେଁ ଜାତୀୟରାଜପଥ ସଂପ୍ରସାରଣ ଓ ଓଭରବ୍ରିଜ୍ ନିର୍ମାଣ ହେବା ଦିନଠାରୁ ବରୁଣେଇ କଲଭର୍ଟଠାରେ ୩-୪ଫୁଟ ପାଣି ଜମି ରହୁଛି । ଏହାଦ୍ୱାରା ସ୍ୱାଭାବିକ ଭାବେ ଚଳପ୍ରଚଳ କରିବାରେ ଅନେକ ସମସ୍ୟା ହେଉଛି । ଏନେଇ ୨୦୨୦ ମଇ ୧୧ ତାରିଖରେ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜୁନ୍ ୧୭ ତାରିଖରେ ଖୋର୍ଦ୍ଧା ବିଧାୟକଙ୍କୁ ଏନେଇ ଜଣାଇଥିଲେ ।

କିନ୍ତୁ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ବର୍ତମାନ ଲଗାଣବର୍ଷାରେ ଗତ ୩ଦିନ ଧରି ତାଙ୍କ ଅଂଚଳ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇରହିଛି । ଏଣୁ ଉକ୍ତ କଲଭର୍ଟ ଠାରେ ନାଳ ନିର୍ମାଣ କରି ଜଳନିଷ୍କାସନର ବ୍ୟବସ୍ଥା ତୁରନ୍ତ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର