ଜୟପୁର: ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ସାଧାରଣ ମୌଳିକ ସୁବିଧା ନ ଥିବା ଏମିତି ଏକ ଗାଁ ହେଉଛି ରାଣୀଗଡ। ଏହି ଗାଁଟି ରହିଛି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅର୍ନ୍ତଗତ ରଣସପୁର ପଂଚାୟତରେ। ଗ୍ରାମବାସୀମାନେ ଗାଁର ସମସ୍ୟାକୁ ନେଇ ଏଥି ପୂର୍ବରୁ ମୁଖ୍ୟମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ, ଡିଆରଡିଏ ପିଡି ସମସ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରି ଫେଲ୍ ମାରିଛନ୍ତି। ଏମାନେ ଏବେ ବି ହାର ନ ମାନି ଗାଁର ସମସ୍ୟାକୁ ଜଣାଇବାକୁ ଆଜି ପୁଣି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଉପଜିଲ୍ଲାପାଳ ଏହି ଗାଁର ସମସ୍ୟାକୁ ନେଇ ବୋରିଗୁମ୍ମା ବିଡିଓଙ୍କ ସହ ଆଲୋଚନା କରିବା ସହ ନିଜେ ଗାଁକୁ ଯାଇ ସମସ୍ୟା ଗୁଡିକର ଅନୁଧ୍ୟାନ କରିବାକୁ ପ୍ରତିଶ୍ରୃତି ବି ଦେଇଥିବା ଗ୍ରାମବାସୀ ମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସମାଜସେବୀ ବି.ହରିରାଓଙ୍କ ନେତୃତ୍ବରେ ଗାଁର ୱାର୍ଡ ସଭ୍ୟ ମେଟା ମୁଦୁଲି, ସବା ମୁଦୁଲି, ଘେନୁ ଜାନୀ, ସୁନା ମୁଦୁଲି, ଡମା ଜାନୀ, ଲେଲି ମୁଦୁଲି ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଜୟପୁର ଆସି ଆଜି ଆଉ ଗୋଟିଏ ସ୍ମାରକପତ୍ର ପ୍ରଦାନ କରିଥିଲେ। ମିଳିଥିବା ସୂଚନା ମୁତାବକ , ବୋରିଗୁମ୍ମା ବ୍ଲକର ରଣସପୁର ପଂଚାୟତର ରାଣୀଗଡ ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ପାଦ ଚଲା ରାସ୍ତା ରହିଛି। ବିସିଂପୁର ଗାଁ ନିକଟରେ ଥିବା ମା ସାଙ୍କୁଳାଇ ମନ୍ଦିରରୁ ୪କିଲୋମିଟର ପାଦଚଲା ରାସ୍ତାରେ ପାହଡ ଉପରେ ଗଲେ ପଡେ ଏହି ଗାଁ । ଗାଁରେ ୭୦ ପରିବାର ବସବାସ କରୁଛନ୍ତି। ସମସ୍ତେ ଚାଷ , ଏବଂ ଜାଳେଣୀ କାଠ ଓବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଏସବୁକୁ ବିକ୍ରୀ କରି ବଂଚୁଛନ୍ତି। ଏହି ଗାଁକୁ ଯିବା ପାଇଁ ରାସ୍ତା ନଥିବା ବେଳେ ପିଇବାକୁ ପାଣି ପାଇଁ ନଳକୁପ ନାହିଁ। ଚୁଆଁର ପାଣି ପିଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଗାଁରେ ସ୍କୁଲ ନାମକୁ ମାତ୍ର ରହିଛି। ଟିଣ ଛପର ଘରେ ସ୍କୁଲ ଚାଳିଛି। ଶିକ୍ଷକ ମାନେ ନିଜ ଇଛା ଅନୁଯାୟୀ ଆସିଥାନ୍ତି ବୋଲି କହିଛନ୍ତି ମେଟା ଓ ଅନ୍ୟ ଗ୍ରାମବାସୀ ସବା ମୁଦୁଲି, ଘେନୁ ମୁଦୁଲି ପ୍ରମୁଖ କହିଛନ୍ତି।
/sambad/media/post_attachments/wp-content/uploads/2020/11/jpr-ranigadh-1-1-768x1024.jpg)
ଗାଁରେ ପିଇବାକୁ ମୁନ୍ଦେ ପାଣି ମିଳୁନି। ବିଦ୍ୟୁତ ଆଲୁଅ ସାତ ସପନ। ଗର୍ଭବତୀ ମହିଳା କିମ୍ବା ଜରୁରୀ ରୋଗୀଙ୍କୁ କାଉଡି କରି ତଳକୁ ଆଣି ଚିକିତ୍ସିତ କରି ନେବା ନିତିଦିନର ଘଟଣା ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏପରିକି ଗୁରୁତର ରୋଗୀଙ୍କୁ ତଳକୁ ଆଣିବା ସମୟରେ ବହୁ ଲୋକେ ମରିଯିବାର ବି ନଜିର ରହିଥିବା ଏମାନେ କହିଛନ୍ତି। ଏମାନେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦେଇଥିବା ସ୍ମାରକପତ୍ର ଓ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୃତି ପାଇବା ପରେ ଗାଁର ସମସ୍ୟା ଦୁର ହେବ ବୋଲି ଆଶା ପ୍ରକଟ କରିଛନ୍ତି। ତେବେ ଏମାନଙ୍କ ଆଶା ପୁରଣ କେବେ ହେବ ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-ranigadh-1-2.jpg)