ଗଞ୍ଜାମ ରାଜନୀତି ଲାଗି ଅଭୁଲା ୨୦୧୯: ପଲ୍ଲୀରୁ ଯାଇ ଦିଲ୍ଳୀରେ ପ୍ରମିଳା ବିଷୋୟୀ, ରେକର୍ଡ଼ରୁ ବଞ୍ଚିତ ହେଲେ ସୁଜ୍ଞାନ କୁମାରୀ ଦେଓ

ବ୍ରହ୍ମପୁର: ଯାଉଛି ୨୦୧୯, ପାଦ ଥାପିବ ୨୦୨୦। ଅଭୁଲା ରହିଯିବ ଘଟଣା ବହୁଳ ୨୦୧୯। ଚଳିତ ବର୍ଷ ସବୁଠାରୁ ଚର୍ଚ୍ଚିତ ଥିଲା ସାଧାରଣ ନିର୍ବାଚନ। ଗଞ୍ଜାମ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଥିଲା ବହୁ ରୋଚକ ଘଟଣା। ଆସିକା ଚେରମାରିଆ ପ୍ରାଥମିକ ବିଦ୍ୟାଳୟର ପାଚିକା ତଥା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମିଳା ବିଷୋୟୀ ଲୋକସଭାରେ ବସିବା ଥିଲା ବଡ଼ ଚର୍ଚ୍ଚିତ ଘଟଣା ଏବଂ ବିଜୁ ଜନତା ଦଳ ଲାଗି ବଡ଼ ଉପଲବ୍ଧି। ୯ ଥର ବିଧାୟିକା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ନିର୍ବାଚନ ମଇଦାନକୁ ନ ଓହ୍ଲାଇବା ତାଙ୍କୁ ରେକର୍ଡ଼ରୁ ବଞ୍ଚିତ କରିଥିଲା। ଜଣେ ସାଂସଦଙ୍କ ସମେତ ଜିଲ୍ଲାର ୪ ଜଣ ବିଧାୟକ ଟିକେଟ ନ ପାଇବା ରାଜନୀତି ବିଶାରଦଙ୍କୁ ଚକିତ କରିଥିଲା।

ଅନ୍ୟପକ୍ଷରେ ଦୀର୍ଘ ୨୫ ବର୍ଷ ପରେ ବ୍ରହ୍ମପୁର ବିଧାନସଭା ଆସନକୁ ନୂଆ ନେତୃତ୍ୱ ମିଳିବା ଥିଲା ଏକ ରୋଚକ ଘଟଣା। ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା ଜିଲ୍ଲା ପାଇଁ ଥିଲା ଦୁଃଖଦ ଘଟଣା। ଆଉ ନିର୍ବାଚନ ବେଳେ ଇଭିଏମ୍‌ ଭାଙ୍ଗି ସୋରଡ଼ା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଗରିଫ ହେବା ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଥିଲା। ୨୦୧୯ର ଏ ସବୁ ପ୍ରସଙ୍ଗ ଗଞ୍ଜାମ ରାଜନୀତି ଲାଗି ଅଭୁଲା ରହିଯିବ।

୨୦୧୯ ଥିଲା ନିର୍ବାଚନୀ ବର୍ଷ। ଲଢ଼େଇ ପୂର୍ବରୁ ନେତାଙ୍କ ଟିକେଟ ଲବି ଓ ଦଳବଦଳ ରାଜନୀତି ବେଶ୍‌ ନାଟକୀୟ ଥିଲା। ଶାସକ ଦଳ ଟିକେଟ ଲବିରେ ପ୍ରଥମରୁ ହାରି ଯାଇଥିଲେ ଜିଲ୍ଳାର ବହୁ ତୁଙ୍ଗ ନେତା। ସାଂସଦ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାୟକ ଦେବରାଜ ମହାନ୍ତି ଓ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ଉପରେ ବିଜେଡି ଭରସା କରି ପାରି ନ ଥିଲା। ବ୍ରହ୍ମପୁରରୁ ବିକ୍ରମ ପଣ୍ଡା, ଛତ୍ରପୁରରୁ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ଓ ଆସିକାରୁ ମଞ୍ଜୁଳା ସ୍ୱାଇଁ ପ୍ରଥମ ଥର ଲାଗି ବିଧାନସଭାରେ ପାଦ ଥାପିଛନ୍ତି। ଅସନ୍ତୁଷ୍ଟ ଦେବରାଜ ମହାନ୍ତି ଓ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ନେତ୍ରୀଙ୍କ ଲାଗି ୨୦୧୯ ଶୁଭ

୨୦୧୯ ଥିଲା ଜିଲ୍ଲାର ମହିଳା ନେତ୍ରୀଙ୍କ ଲାଗି ଖୁସିର ବର୍ଷ। ଲୋକସଭାରେ ଜଣେ, ବିଧାନସଭାରେ ୪ଜଣ ମହିଳା ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବିଧାୟକ ହେବା ପରେ ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଆସନ ଜଣେ ମହିଳା ସୋନମ୍‌ ପଲେଇଙ୍କ ହାତକୁ ଯାଇଛି।

ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ଓ କଂଗ୍ରେସ ନୂଆ ମୁହଁ ଦେଇ ବିଫଳ ହେଲେ। ବ୍ରହ୍ମପୁର ଲୋକସଭା ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଆସିକା ଲୋକସଭା ଆସନରେ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ବିଜେଡି ସୁପ୍ରିମୋ ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ।

୨୦୧୯ ନିର୍ବାଚନରେ ବିଜେଡି ୫୧.୨୪ ପ୍ରତିଶତ ଭୋଟ ପାଇଲା। ବିଜେପି ୩୨.୩ ପ୍ରତିଶତ ଭୋଟ ପାଇ ଦ୍ଵିତୀୟ ଏବଂ କଂଗ୍ରେସ ୮.୫ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହଥିଲେ। କଂଗ୍ରେସର ଅଧିକାଂଶ ପ୍ରାର୍ଥୀ ଅମାନତ ହରାଇଥିଲେ। ବିଜେଡି ଓ କଂଗ୍ରେସର ଭୋଟ ହାର କମିଥିବା ବେଳେ ବିଜେପି ଭୋଟ ହାର ବଢିଥିଲା। ଚର୍ଚ୍ଚାରେ ରହିଥିଲା ହଞ୍ଜିଳି ବିଧାନସଭା ଆସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଦୁଇଟି ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ତେବେ ସବୁ ଚର୍ଚ୍ଚା ପଛରେ ପକାଇ ଶେଷରେ ମୁଖ୍ୟମନ୍ତ୍ରୀ ୫ ଥର ବିଜୟୀ ହୋଇଥିବା ହିଞ୍ଜଳି ଆସନକୁ ରଖି ବିଜେପୁର ଛାଡ଼ିଥିଲେ।

ଜିଲ୍ଲାର ହେଭିୱେଟ୍‌ ନେତା ବିକ୍ରମ ଆରୁଖ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ କଡ୍ଡା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ୭ମ ଥର ଲାଗି ଜିତି ବାଚସ୍ପତି ପଦ ମଣ୍ଡନ କରିଛନ୍ତି। ତେବେ ଜିଲ୍ଲାର ଦୁଇ ବିଧାୟକଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିବା ବେଳେ ଜଣେ ପୂର୍ବତନ ବିଧାୟକ ପୁଣି ତାଙ୍କ ପଦକୁ ଫେରିଛନ୍ତି। ଧରାକୋଟ ରାଣୀ ତଥା ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀଙ୍କୁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଜିଲ୍ଲାରେ ପୁଣି କଂଗ୍ରେସର ସ୍ଥିତି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର