ବାରିପଦା: ଆଜିକା ଦିନରେ ବିନା ଦରମାରେ କରୋନା ସହିତ ଲଢ଼ୁଛନ୍ତି ଏନ୍‌ଭିବିଡିସିପି ଯୋଜନାରେ ନିଯୁକ୍ତି ପାଇଥିବା ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ। ସ୍ବାସ୍ଥ୍ୟବିଭାଗର ପାତରଅନ୍ତର ନୀତିର ଶିକାର ହୋଇଛନ୍ତି ଏହି ପଦବୀରେ କାର୍ଯ୍ୟକରୁଥିବା ରାଜ୍ୟର ୪୯୩ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ। ୨୦୧୨ ଡିସେମ୍ବର ଅନ୍ତିମ ଭାଗରେ ଏନ୍‌ଭିବିଡିସିପି ଯୋଜନାରେ ନିଯୁକ୍ତି ପାଇଥିବା ଏହି ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ ୨୦୧୮ ମସିହା ଅଗଷ୍ଟ ମାସରୁ ଦରମା ପାଇନାହାନ୍ତି।

Advertisment

ବର୍ତ୍ତମାନ ସମୟରେ ମହାମାରୀ କରୋନା ସହିତ ଲଢ଼ୁଥିବା ସ୍ବାସ୍ଥ୍ୟବିଭାଗର ଡାକ୍ତରଙ୍କ ଠାରୁ ଆରମ୍ଭ କରି ସେବିକାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଗୁଆ ଦରମା ସହିତ ବୀମା ଆଦି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ମାତ୍ର ସରକାରଙ୍କ ନଜରକୁ କିନ୍ତୁ ଆସିନାହାନ୍ତି ମାସକୁ ମାତ୍ର ୫ହଜାର୨ଶହ ଟଙ୍କା  ଦରମା ପାଉଥିବା ସ୍ୱାସ୍ଥ୍ୟକର୍ମୀମାନେ। ଦୀର୍ଘ ୨୨ମାସ ହେବ ଦରମା ପାଇନଥିଲେ ସୁଦ୍ଧା ନିରବଚ୍ଛିନ୍ନ ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି ଏମାନେ। କହିବାକୁ ଗଲେ ବିନା ଦରମାରେ ସାଜିଛନ୍ତି କରୋନା ଲଢ଼େଇର ସାରଥୀ। କାରଣ ଏହି ସ୍ୱାସ୍ଥ୍ୟକର୍ମୀମାନେ ହିଁ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ସହିତ ବିଦେଶରୁ କିମ୍ବା ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି।

ସେହିପରି ଗତବର୍ଷ ଏପ୍ରିଲ୍‌ ମାସରେ ଗେଜେଟ୍‌ ନୋଟିଫିକେସନ୍‌ ଅନୁଯାୟୀ ଏହି କ୍ଷେତ୍ରରେ ୬ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ କରିବାର ପ୍ରତିଶ୍ରୁତି ଦେଇଥିଲେ ସରକାର। ମାତ୍ର ଏହାକୁ ମଧ୍ୟ କାର୍ଯ୍ୟକାରି କରାଯାଇନାହିଁ। ମୟୂରଭଞ୍ଜରେ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୩୬। ଦୀର୍ଘ ୨୨ମାସ ହେବ ଦରମା ପାଉନଥିବାରୁ ଏମାନଙ୍କ ଅବସ୍ଥା ବାରଣ୍ଡାଦିକଡ଼ା ହୋଇଗଲାଣି। ସ୍ବଳ୍ପ ଦରମା ପାଉଥିବା ଏହି ସ୍ୱାସ୍ଥ୍ୟକର୍ମୀମାନେ ଏଏନ୍‌ଏମ୍‌ ଦିଦିଙ୍କ ସହିତ ମିଶି ଗାଁ ଗାଁ ବୁଲି ସ୍ୱାସ୍ଥ୍ୟକ୍ଷେତ୍ରରେ ବିଭିନ୍ନ କାମ କରିଥାଆନ୍ତି।

ବାରମ୍ବାର ଦରମା ପ୍ରଦାନ ନେଇ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଅନୁରୋଧ କଲେ ସୁଦ୍ଧା ଆଲଟ୍‌ମେଣ୍ଟ୍‌ ନାହିଁ କହି ଟାଳି ଦେଉଛନ୍ତି ଉପରସ୍ତ ଅଧିକାରୀ। କରୋନା ଲଢ଼େଇ ସମୟରେ ସ୍ୱାସ୍ଥ୍ୟବିଭାଗରେ ସମସ୍ତଙ୍କୁ ପୁରସ୍କାର ମିଳୁଥିବାବେଳେ ସେମାନଙ୍କୁ ଦୃଷ୍ଟି ଦିଆଯାଉନଥିବାରୁ କ୍ଷୋଭ ପ୍ରକାଶ ପାଇଛି। ତେବେ ଚଳିତ ବଜେଟ୍‌ରେ ଏମାନଙ୍କୁ ଦରମା ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି। କରୋନା କାରଣରୁ ଏମାନଙ୍କର ଦରମା ମିଳିବାରେ ବିଳମ୍ବ ଘଟୁଛି। ଖୁବ୍‌ଶୀଘ୍ର ଏହି ପୁରୁଷ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦରମା ପ୍ରଦାନ କରାଯିବାନେଇ ଏଡିପିଏଚ୍‌ଓ(ଭିବିଡି) ଡ. ବନମାଳୀ ପ୍ରଧାନ ସୂଚନା ଦେଇଛନ୍ତି।