ଟାଇଲ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟ୍‌

ବାଲେଶ୍ବର: ସଦର ଥାନା ଅଧୀନ ସୁନ୍ଦରୀ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଡ୍ରାଇଭର ଦୁର୍ବୃତ୍ତଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବେଳେ ତାଙ୍କ ଠାରେ ଥିବା ୧୦ ହଜାର ଟଙ୍କାର ନଗଦ କ୍ୟାସ୍‌ ଏବଂ ଗୋଟିଏ ମୋବାଇଲକୁ ସେମାନେ ଲୁଟ୍‌ କରି ନେଇଥିବା ଜଣାଯାଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ନାଗର ମଲ୍ଲିକ(୬୩)। ତାଙ୍କ ଘର ରାଜସ୍ଥାନର ଶିକାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ  ମଲ୍ଲିକଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।

ତାଙ୍କ କହିବା ମୁତାବକ, ସେ ନିଜେ ଜଣେ ଟାଇଲ ବ୍ୟବସାୟୀ ଏବଂ ଗାଡ଼ି ମାଲିକ। ବାଲେଶ୍ବର ସେଣ୍ଟ୍ରାଲ ସ୍କୁଲ ନିକଟରେ ଥିବା ଜଣେ ମାର୍ବଲ-ଟାଇଲ ବ୍ୟବସାୟୀଙ୍କ ଅର୍ଡର ପାଇ ଗତକାଲି ଦ୍ବିପ୍ରହର ବେଳେ ସେ ଓ ତାଙ୍କ ପୁଅ ପ୍ରକାଶ କୁମାର ମଲ୍ଲିକ ତାଙ୍କ ଟ୍ରକରେ ଟାଇଲ ବୋଝେଇ କରି ବାଲେଶ୍ବରରେ ପହଞ୍ଚିଥିଲେ। ‌ଏହାପରେ ସମ୍ପୃକ୍ତ ବ୍ୟବସାୟୀଜଣକ ତାଙ୍କୁ ସୁନ୍ଦରୀ ନିକଟରେ ଥିବା ତାଙ୍କର ଗୋଦାମ ନିକଟକୁ ନେଇଯାଇଥିଲେ। ସେଠାରେ ଟାଇଲ ଅନଲୋଡ଼ କରିବାକୁ ଲୋକ ନମିଳିବାରୁ ଆଜି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା।

ତେବେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ  ମଲ୍ଲିକ ଓ ତାଙ୍କ ପୁଅ ଟ୍ରକଆଗ ‌କ୍ୟାବିନରେ ‌ଶୋଇଥିବା ଅବସ୍ଥାରେ ୨ଜଣ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ତାଙ୍କୁ ଆସି ଡାକିଥିଲେ। ଏହାପ‌େର ଜଣେ ଦୁର୍ବୃତ୍ତ ଟ୍ରକ ଉପରକୁ ଉଠିଯାଇ  ମଲ୍ଲିକଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିଥିଲା। ସେ ନଦେବାରୁ ତାଙ୍କ ଡାହାଣ ଗୋଡ଼କୁ କଟୁରିରେ ଆକ୍ରମଣ କରି ୧୦ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏ ଘଟଣା ସମ୍ପର୍କରେ ସେ ସମ୍ପୃକ୍ତ ମାର୍ବଲ-ଟାଇଲ୍ସ ବ୍ୟବସାୟୀଙ୍କୁ ଜଣାଇଥିଲେ। ‌କିଛି ସମୟରେ ସେ ଆସି  ମଲ୍ଲିକଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ତେବେ ଖବର ପ୍ରସ୍ତୁତ କରିବା ଯାଏ ଏନେଇ ଥାନାରେ କେହି ଲିଖିତ ଅଭିଯୋଗ କରି ନଥିବା ଆଇଆଇସି ଅଶୋକ ନାୟକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର