ମେଣ୍ଡରାଜ୍‌ପୁର ବସ ଟ୍ରାଜେଡ଼ିକୁ ପୂରିବ ବର୍ଷେ; ପଙ୍ଗୁ ହୋଇ ବସିଛନ୍ତି ୬ ଜଣ

ସବୁ ଘୋଷଣା ପାଣିର ଗାର, ବ୍ରହ୍ମପୁର ବଡ଼ ମେଡିକାଲରେ ଖୋଲିପାରିନି ବର୍ନ ୟୁନିଟ୍‌

ବ୍ରହ୍ମପୁର/ଗୋଳନ୍ଥରା: ୨୦୨୦ ମସିହା ଫେବ୍ରୁଆରି ୯ତାରିଖ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜ୍‌ପୁର ଗାଁରେ ଘଟିଥିଲା ଛାତିଥରା ଅଘଟଣ। ନିର୍ବନ୍ଧ ଲାଗି ବର ଘର ଲୋକଙ୍କୁ ନେଇ ଯାଉଥିବା ‘ସିଲକ୍‌ ସିଟି’ ନାମକ ବସ୍‌ ୧୧କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୨ଜଣଙ୍କ ମୃତ୍ୟୁ ଘଟିଥିଲା। ୩୯ ଜଣ ଆହତ ହୋଇଥିଲେ। ଆଉ ୫ଦିନ ପରେ ଏହି ଲୋମଟାଙ୍କୁରା ଘଟଣାକୁ ବର୍ଷେ ପୂରିବ। ହେଲେ ବର୍ଷକ ପରେ ବି ପ୍ରଶାସନ ପୀଡ଼ିତଙ୍କୁ ସହାୟତା କଥା ଯେମିତି ଭୁଲିଯାଇଛି। ଆହତଙ୍କ ମଧ୍ୟରୁ ପ୍ରାୟ ୧୧ଜଣ ଗୁରୁତରଙ୍କ ମଧ୍ୟରୁ ୬ଜଣ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାଟି ଦିଆଗଲା। ସେମାନେ ଏବେ ପଙ୍ଗୁ ହୋଇ ବସିଛନ୍ତି।
ଏମାନଙ୍କୁ ସହାୟତା ପ୍ରଦାନ ପାଇଁ ଆବଶ୍ୟକ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ କରାଇବାକୁ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଏମାନଙ୍କୁ ସହାୟତା ଦେବା ଦୂର କଥା ଏଯାବତ୍‌ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଭିନ୍ନକ୍ଷମ ପ୍ରମାଣପତ୍ର ଦେଉନାହିଁ। ଭାଗ୍ୟକୁ ଆଦରି ଏମାନେ ଦିନ କାଟୁଛନ୍ତି। ସରକାରଙ୍କ ସମସ୍ତ ପ୍ରତିଶ୍ରୁତି ଓ ଘୋଷଣା ପାଣିରେ ଗାର ହୋଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ନିଆଁରେ ପୋଡ଼ି ଯାଇଥିବା ରୋଗୀଙ୍କ ଚିକିତ୍ସା ଲାଗି ବର୍ନ ୟୁନିଟ୍‌ ନାହିଁ। ଏହି ଦୁର୍ଘଟଣା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ନ ୟୁନିଟ୍‌ ଖୋଲିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଘୋଷଣାକୁ ୧ ବର୍ଷ ପୂରିବାକୁ ବସିଥିବା ‌ବେଳେ ଏ ପର୍ଯ୍ୟନ୍ତ ବର୍ନ ୟୁନିଟ୍‌ ଖୋଲିନାହିଁ। ଏହି ଘଟଣା ପରେ ଗତ ଏପ୍ରିଲ ମାସ ପୋଲସରା ବ୍ଲକ ଖଇରଛଟା ଗାଁ ୪ଜଣ ଶିଶୁ ନିଆଁରେ ପୋଡ଼ି ଯାଇଥିଲେ। ସେମାନଙ୍କୁ ଏଠାରେ ଚିକିତ୍ସା ଲାଗି ସୁବିଧା ନ ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖି ବୁଜିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ
ବର୍ନ ୟୁନିଟ୍‌ ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରିଥିଲେ ହେଁ ଏ ଯାଏଁ କାର୍ଯ୍ୟକାରୀ ହୋଇନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ, ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ୟାସୀଙ୍କ ପୁଅ ଅଶୋକଙ୍କ ବାହାଘର ଚିକରଡ଼ାର ବୁଲୁ ରେଡ୍ଡିଙ୍କ ଝିଅ ପଲ୍ଲବୀ ସହିତ ସ୍ଥିର ହୋଇଥିଲା। ୨୦୨୦ ଫେବ୍ରୃଆରି ୯ ତାରିଖରେ ପୁଅ ଘର ଲୋକମାନେ ନିର୍ବନ୍ଧ ପାଇଁ ଚିକରଡ଼ା ଅଭିମୁଖେ ବସ୍‌ରେ ବାହାରିଥିବା ବେଳେ ମେଣ୍ଡରାଜ୍‌ ଛକରେ ମୃତ୍ୟୁ ଛକିଥିଲା। ରାସ୍ତାରେ ଝୁଲି ରହିଥିବା ୧୧କେଭି ତାର ବସ୍‌ ସଂସ୍ପର୍ଶରେ ଆସି ଡଙ୍କଲପାଡ଼ୁ ଗ୍ରାମର ୯ଜଣଙ୍କ ସମେତ ସମୁଦାୟ ୧୨ଜଣ ଆଖି ବୁଜିଥିଲେ। ଆହତଙ୍କ ମଧ୍ୟରୁ ୧୧ଜଣ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ୨ରୁ ୩ମାସ ଧରି ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ହେଲେ ଏହି ଦୁର୍ଘଟଣା ଅନେକଙ୍କୁ ଭିନ୍ନକ୍ଷମ ସଜାଇ ଦେଇଛି। କିଏ ଦୁଇ ଗୋଡ଼ ହରାଇଛି ତ କିଏ ହାତ ଏବଂ ଆଉ କିଏ ହାତ ପାପୁଲି ହରାଇଛନ୍ତି। କିଏ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ହରାଇ ନ ଥିଲେ ବି କୌଣସି କାମ କରି ପାରୁନାହାନ୍ତି। ଡଙ୍କଲପାଡ଼ୁ ଗାଁର ବି.ଗୋପାଳଙ୍କ ପତ୍ନୀ ବି.ଶାରଦା। ଏ ଦୁର୍ଘଟଣା ପରେ ତାଙ୍କର ଦୁଇ ଗୋଡ଼ କଟିଯାଇଛି। ହାତ ଦ୍ବୟ ପୋଡ଼ିଯାଇଛି। ପତ୍ନୀର ସେବା କରି ସ୍ବାମୀ ମଧ୍ୟ ପକ୍ଷାଘାତରେ ପୀଡ଼ିତ। ଏହି ଦମ୍ପତିଙ୍କ ପୁଅଝିଅ ଏକରକମ ବେସାହାରା। କିଆ ଫୁଲ ତୋଳିଲେ ଘର ଚଳୁଥିଲା।
ଏ ଦୁର୍ଘଟଣା ପର ଠାରୁ ସବୁ କିଛି ଠପ୍‌। ଘରେ ଠିକ୍‌ ଭାବେ ଚୁଲି ଜଳୁନି। ଦୁର୍ଦ୍ଦିନ ଦିନ କାଟୁଥିବା ଏହି ପରିବାର ପ୍ରତି ପ୍ରଶାସନର ନଜର ନାହିଁ। ଏ ପର୍ଯ୍ୟନ୍ତ ବି.ସାରଦାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ମିଳିନାହିଁ। ଭିନ୍ନକ୍ଷମ ପ୍ରମାଣପତ୍ର ମିଳି ନ ଥିବାରୁ ଭିନ୍ନକ୍ଷମ ଭତ୍ତା ବି ମିଳୁନାହିଁ। ୟୁ.ମୋହିନୀଙ୍କ ଗୋଡ଼ ଓ ପିଠିର କିଛି ଅଂଶ ଜଳି ଯାଇଥିଲା। ସେ ଚାଲି ପାରୁନାହାନ୍ତି। ସେହିପରି ବି.ଦାମୋଦର ରେଡ୍ଡିଙ୍କ ପୁଅ ବି.ପ୍ରସାଦ ରେଡ୍ଡି(୧୩)ଙ୍କ ଗୋଡ଼ ଦ୍ବୟ ଓ ଶରୀରର କେତେକାଂଶ ପୋଡ଼ି ଯାଇଥିଲା। ଡାହାଣ ଗୋଡ଼ର ଆଙ୍ଗୁଠି କାଟି ଦିଆଯାଇଛି। ଖାଲି ପାଦରେ ଚାଲିବା ତାଙ୍କୁ କଷ୍ଟ ହେଉଛି। ସେହିପରି ବି.ଆଙ୍କମାଙ୍କ ଗୋଡ଼ ଏବଂ ଶରୀରର କିଛି ଅଂଶ‌ ପୋଡ଼ି ଯାଇଥିବା ବେଳେ ଠିକ୍‌ ଭାବ‌େ ଚାଲି ପାରୁନାହାନ୍ତି।
ସେହିପରି ଢେପ. ନୂଆପଡ଼ା ଗାଁରେ କେ.ଜାନକୀ ଆମାଙ୍କ ହାତ, ଗୋଡ଼ ଓ ପେଟର କିଛି ଅଂଶ ପୋଡ଼ି ଯାଇଥିଲା। ତାଙ୍କ ଡାହାଣ ହାତ ଆଙ୍ଗୁଡ଼ି ଗୁଡ଼ିକ କାଟି ଦିଆ ଯାଇଥିବା ବେଳେ ସେ ଏକରକମ ପଙ୍ଗୁ।  ଗୁରୁତର ସି.ବଳରାମଙ୍କ ସ୍ଥିତି ମଧ୍ୟ ଅନୁରୂପ। ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଲାଗି ପଦକ୍ଷେପ ନିଆଯାଇ ନାହିଁ। ବିଦ୍ୟୁତ ବିଭାଗ ଆହତଙ୍କୁ ୨୫ହଜାର‌ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିଲା। ଆଉ ସରକାରୀ ସହୟତା କିଛି ବି ମିଳିନାହିଁ। ମୃତକଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିଛି। ଏହି ଛାତିଥରା ଘଟଣା ପରେ ଡଙ୍କଲପାଡ଼ୁ ଗାଁକୁ ନେତା, ମନ୍ତ୍ରୀ ଓ ଅଧିକାରୀଙ୍କ ସୁଅ ଛୁଟିଥିଲା। ଏବେ କାହାର ଦେଖାନାହିଁ କି ଏମାନଙ୍କ ଦୁଃଖ ଶୁଣିବା ଲାଗି କେହି ନାହିଁ।
ସମ୍ବନ୍ଧିତ ଖବର