ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର ଥୁଆମୂଳ ରାମପୁର ଥାନା ପୁରୁଣାଗୁମା ଅଶୋକ ନଗର ନିକଟରେ ଜଣେ ମହିଳାଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ମୃତକାଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ସେ ମାନସିକ ଭିନ୍ନକ୍ଷମ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁସାରେ ସୋମବାର ଭୋର୍ ସମୟରେ କୌଣସି ଅଜଣା ଗାଡ଼ି ଉକ୍ତ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଗାଡ଼ିଟି ଫେରାର୍ ଥିବା ବେଳେ କର୍ଲାପାଟ ସରପଞ୍ଚ ବିଶ୍ବ ମାଝୀ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଏଏସ୍ଆଇ ରଶ୍ମିରଞ୍ଜନ ବାଗ ଓ ଗୁଣପୁର ଫାଣ୍ଡି ଅଧିକାରୀ ଅଜୟ ନାୟକ ପହଞ୍ଚି ଶବ ଜବତ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କ ପରିବାର ଠିକଣା ଜଣା ପଡ଼ିନଥିବାରୁ ନିୟମ ମୁତାବକ ବ୍ୟବଚ୍ଛେଦ ପରେ ଶବ ପରବର୍ତ୍ତୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବ ଗୃହରେ ସୁରକ୍ଷିତ ରଖାଯିବ। ଯଦି କେହି ନ ଆସନ୍ତି ତେବେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)