ଗାଲେରୀର ପ୍ରସିଦ୍ଧ ମାସନ୍ତ ମେରୁରେ ହାତଗଣତି ଶ୍ରଦ୍ଧାଳୁଙ୍କ ସମାଗମ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାଲେରୀ ଗ୍ରାମର ପ୍ରସିଦ୍ଧ ଦଣ୍ଡଯାତ୍ରା ଆଜି  କୋଭିଡ୍ କଟକଣା ଭିତରେ ସମ୍ପନ୍ନ ହୋଇଛି। ଗ୍ରାମର ଆରାଧ୍ୟ ମା’ଦଣ୍ଡକାଳୀଙ୍କ ତେରଦିନିଆ ଦଣ୍ଡଯାତ୍ରା ଚଳିତବର୍ଷ କଟକଣା ପାଇଁ କେବଳ ଗ୍ରାମ ଭିତରେ ସୀମିତ ରହିଥିବା ବେଳେ ମେରୁଯାତ୍ରାକୁ ମଧ୍ୟ ‌ବାହାର ଲୋକଙ୍କ ଆଗମନକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଥିଲା। ଆଜି ତେରଦିନିଆ ଯାତ୍ରା ଶେଷ ହୋଇଥିଲା। ଆଉ ମାସନ୍ତ ମେରୁଯାତ୍ରା ବି ରୀତିନୀତି ଭିତରେ ସୀମିତ ରହିଥିଲା। କେବଳ ଗାଲେରୀ ଗ୍ରାମବାସୀଙ୍କ ସମେତ ଆଖପାଖର କିଛି ଶ୍ରଦ୍ଧାଳୁ ଜମା ହୋଇଥିଲେ। କାରଣ ମେରୁଯାତ୍ରା ଏହି ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ହୋଇଥିବାରୁ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା। କିନ୍ତୁ ଚଳିତ ବ‌ର୍ଷ କମ୍ ସଂଖ୍ୟକ ଶ୍ରଦ୍ଧାଳୁରେ ଫିକା ପଡ଼ିଥିଲା।
ପ୍ରତ୍ୟୁଷରୁ ମା’ ଦଣ୍ଡକାଳୀ ଗ୍ରାମର ଶ୍ରୀ ରାମେଶ୍ବର ସ୍ବାମୀଙ୍କ ମନ୍ଦିର ଠ‌ାରେ ପହଞ୍ଚିଥିଲେ।  ଢୋଲ, ଘଣ୍ଟ ସମେତ ବିଭିନ୍ନ ବାଜାବାଜଣା ଓ ହୁଳହୁଳି ଏବଂ ‘କଳା ରୁଦ୍ରମଣିକି ଭଜହେ….’ ଡାକରେ ଗ୍ରାମ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ମା’ଙ୍କ ମନ୍ଦିର ସମ୍ମୁଖରେ ଧୂଳିଦଣ୍ଡ ଓ ଅପରାହ୍‌ଣରେ ଆଡ଼ବନ୍ଧ ଠାରେ ପାଣି ଦଣ୍ଡ ନୀତି ସଂପନ୍ନ ହୋଇଥିଲା। ସନ୍ଧ୍ୟାରେ କିଛି ମାନସିକଧାରୀ ଦର୍ଶନ କରିଥିଲେ। ରାତିରେ ଅଗ୍ନିଦଣ୍ଡ ହୋଇଥିଲା।  ସୁରକ୍ଷା ଲାଗି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରା କମିଟି ଓ ଗ୍ରାମବାସୀ ପରିଚାଳନା କରିଥିଲେ।
ଅନ୍ୟପକ୍ଷରେ ସହର ଉପକଣ୍ଠ ଗାମୁଣ୍ଡି, ଢୁଢ଼ୁଆ, ଜିଲୁଣ୍ଡି ଓ ତନରଡ଼ା ଭଳି ଗ୍ରାମ ଗୁଡ଼ିକରେ ସକାଳୁ ହିଁ ରୀତିନୀତି ଅନୁଯାୟୀ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର କଡ଼ା ଆଭିମୁଖ୍ୟ ପାଇଁ ସକାଳୁ ହିଁ ବହୁ ଗ୍ରାମରେ ମେରୁଯାତ୍ରା ସଂପନ୍ନ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର