କାମନାବର ପୀଠରେ ମେରୁଯାତ୍ରା ଉଦଯାପିତ

ଖୋର୍ଦ୍ଧା: ଖୋର୍ଦ୍ଧାର କାମନାବର ସାହିରେ ଥିବା ପ୍ରସିଦ୍ଧ କାମନାବର ପୀଠରେ ଆଜି ମେରୁ ସଂକ୍ରାନ୍ତି ଉପଲକ୍ଷେ ମେରୁଯାତ୍ରା ଉଦଯାପିତ ହୋଇଯାଇଛି । କରୋନା କଟକଣା ଥିଲେ ମଧ୍ୟ ଭକ୍ତ ଓ ମାନସିକଧାରୀଙ୍କ ଗହଳି ଲାଗିରହିଥିଲା ।

ଭୋରରେ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିରରେ ସୀମିତ ଭକ୍ତ ଓ ପୂଜକଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା । ମଧ୍ୟାହ୍ଣରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା । ପରେ ମାନସିକଧାରୀ ଦଣ୍ଡୁଆମାନେ ପୂର୍ବରୁ ସଂଗ୍ରହ କରି ହରିଚନ୍ଦନ ପୋଖରୀରେ ରଖାଯାଇଥିବା କୋଇଲେଖ କଂଟା କାଣ୍ଡକୁ ମୁଣ୍ଡରେ ମୁଣ୍ଡାଇ ଆଣି ମନ୍ଦିର ସମ୍ମୁଖ ରାସ୍ତାରେ ବିଛାଇଥିଲେ ।

ରାସ୍ତା ଉପରୁ ପ୍ରାୟ ଦେଢ଼ଫୁଟ ଉଚ୍ଚରେ କାଣ୍ଡଗୁଡ଼ିକ ବିଛାଯାଇଥିଲା । ପାଟଦଣ୍ଡୁଆ ଠାକୁରଙ୍କୁ ଆଣି ଚାରିପାlଟେ ପରିକ୍ରମା କରାଇବା ସହ କଂଟାକାଣ୍ଡଗୁଡ଼ିକୁ ଛୁଆଁଇଥିଲେ । ପରେ ଘଣ୍ଟ‌ା, ବାଦ୍ୟ, ଝୁଣା ସହ ହରିବୋଲ ହୁଳହୁଳି ଶବ୍ଦରେ ମାନସିକଧାରୀ ଦଣ୍ଡୁଆମାନେ କଂଟାକାଣ୍ଡରେ ଗଡ଼ିଥିଲେ ।  ଏହାପରେ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପାଟଦଣ୍ଡୁଆଙ୍କ ଓ ଘରତପ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଆଁ ଉପରେ ମୁଣ୍ଡତଳକୁ ଓ ଗୋଡ଼ ଉପରକୁ କରି ପାଟଦଣ୍ଡୁଆ ଝୁଲି ରହିଥିଲେ । ପରେ ପାଟଦଣ୍ଡୁଆ ଦେବୀଙ୍କ ଖୁଂଟରେ ଲାଗିଥିବ ଆମ୍ବଗୁଡ଼ିକୁ ଭକ୍ତଙ୍କ ଉପରକୁ ଫୋପାଡ଼ିଥିଲେ । ଏହାପରେ ମେରୁଯାତ୍ରା ବିଧିବଦ୍ଧ ଭାବେ ଉଦ୍ୟାପିତ ହୋଇଥିଲା ।

ସମ୍ବନ୍ଧିତ ଖବର