ପ୍ରାକ୍‌ ଗର୍ଭଧାରଣ ଓ ଲିଙ୍ଗ ନିରୂପଣ ଅଧିନିୟମ ସମୀକ୍ଷା ବୈଠକ

ଖୋର୍ଦ୍ଧା: ଘରୋଇ କ୍ଲନିକ୍‌ ଗୁଡ଼ିକରେ ଅବୈଧ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆଜି ପ୍ରାକ୍ ଗର୍ଭଧାରଣ ଓ ପ୍ରସୂତି ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉପଦେଷ୍ଟା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ଅଲଟ୍ରା ସାଉଣ୍ଡ ପରୀକ୍ଷଣ ପାଇଁ ଅନୁମତି ପାଇଥିବା କ୍ଲନିକ୍ରେ ପ୍ରଶିକ୍ଷିତ ଓ ଯୋଗ୍ୟତାପ୍ରାପ୍ତ ଡାକ୍ତର ନିଯୁକ୍ତି, ଇକୋ କାର୍ଡିଓଗ୍ରାଫି ନିମନ୍ତେ ଆବଶ୍ୟକ ଡାକ୍ତରଙ୍କ ନିଯୁକ୍ତି ଉପରେ ଆଲୋଚନା ହୋଇଥିଲା।

ଅନୁମତି ପାଇଥିବା କ୍ଲିନିକ୍ଗୁଡ଼ିକର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହାସହ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅବୈଧ ଭ୍ରୁଣ ନିରୂପଣ ଅଭିଯୋଗର ଯାଞ୍ଚ ପାଇଁ ଉପଦେଷ୍ଟା କମିଟି ଗଠନ କରିବା ଓ ଏହାକୁ ସକ୍ରିୟ କରିବାକୁ କହିଥିଲେ। ଯେଉଁଯେଉଁ ଅଞ୍ଚଳରେ ଲିଙ୍ଗ ଅନୁପାତ କମ୍ ରହିଛି ସେଠାରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଏଡିପିଏଚ୍ଓ ଡଃ. ରଘୁନାଥ ନାୟକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ପଦ୍ମଚରଣ ଦାସ, ଜେପି ତ୍ରିପାଠୀ, ଅନୁପମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୁଧାଂଶୁ ଶତପଥୀ ପ୍ରସଙ୍ଗ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଡିପିଏମ୍ ପ୍ରକାଶ ଚନ୍ଦ୍ର ବାନାର୍ଜୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର