ଖୁଣ୍ଟୁଣୀ/ଗୁରୁଡ଼ିଝାଟିଆ : କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରେ ଏମ୍‌ଜିଏମ୍‌ ଗ୍ରୁପ ଅଫ୍‌ କମ୍ପାନି ଦ୍ୱାରା ନିର୍ମିତ କ୍ରିକେଟ୍‌ ଉତ୍କର୍ଷ କେନ୍ଦ୍ର ଓ କ୍ରୀଡ଼ା ବିଦ୍ୟାଳୟ ବୁଧବାର ଉଦ୍‌ଘାଟିତ ହୋଇଛି। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ସୁରେଶ ରାଇନା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏମ୍‌ଜିଏମ୍‌ ସ୍କୁଲ୍‌ ଅଫ ସ୍ପୋର୍ଟସ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା କ୍ରିକେଟ୍‌ ସଂଘର ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଆଠଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତପ ସ୍ବାଇଁ ମୁଖ୍ୟ ଅତିଥି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ତଥା ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ସଦସ୍ୟ ପ୍ରଜ୍ଞାନ ଓଝା, ଓଡ଼ିଶା କ୍ରିକେଟ୍‌ ସଂଘ ସମ୍ପାଦକ ସଞ୍ଜୟ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶାରେ କ୍ରୀଡ଼ାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ଏମ୍‌ଜିଏମ୍‌ ସ୍କୁଲ୍‌ ଅଫ୍‌ ସ୍ପୋର୍ଟସ୍‌ ଓ କ୍ରିକେଟ୍‌ ଉତ୍କର୍ଷ କେନ୍ଦ୍ର ସହଯୋଗ କରିବ ଏବଂ ଆଗାମୀ ଦିନରେ ଏହା କ୍ରୀଡ଼ାର ହବ୍‌ ପାଲଟିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଢେଙ୍କାନାଳ ବିଧାୟକ ନିଧି ସାମଲ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

Advertisment

publive-image

ପ୍ରଦର୍ଶନୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଛତିଶଗଡ଼କୁ ହରାଇଲା ଓଡ଼ିଶା

ନବନିର୍ମିତ ଏମ୍‌ଜିଏମ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ବୁଧବାର ଓଡ଼ିଶା ଓ ଛତିଶଗଡ଼ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ୪ ୱିକେଟ୍‌ରେ ବିଜୟୀ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଛତିଶଗଡ଼ ୧୯.୩ ଓଭରରେ ୧୩୬ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ ଓଡ଼ିଶା ୧୬.୩ ଓଭର୍‌ରେ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସ୍ବସ୍ତିକ ସାମଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏଥିସହିତ ଉଭୟ ଦଳର ସଦସ୍ୟଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା ଦେଇଥିଲେ। ସୂଚନାଯୋଗ୍ୟ ଯେ ଏମ୍‌ଜିଏମ୍‌ କ୍ରୀଡ଼ା ବିଦ୍ୟାଳୟ ଓ କ୍ରିକେଟ ଉତ୍କର୍ଷ କେନ୍ଦ୍ରରେ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆନ୍ତର୍ଜାତିକସ୍ତରରେ ଖେଳିବାର ସୁଯୋଗ ପ୍ରଦାନ କରାଯିବ। ଏଠାରେ କ୍ରିକେଟ୍‌ ସହ ଅନ୍ୟ କ୍ରୀଡ଼ା ପାଇଁ ତାଲିମ ଏବଂ କ୍ରୀଡ଼ାର ବୈଷୟିକ ଶିକ୍ଷା ପ୍ରଦାନ କରାଯିବ। ୩୦ ଏକର ଜମିରେ ପ୍ରତିଷ୍ଠା କରାଯାଉଥିବା ଏହି କ୍ରିକେଟ ଉତ୍କର୍ଷ କେନ୍ଦ୍ର ଓ କ୍ରୀଡ଼ା ବିଦ୍ୟାଳୟ ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏମ୍‌ଜିଏମ୍‌ କ୍ରୀଡ଼ା ବିଦ୍ୟାଳୟର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇଛନ୍ତି।