ଧର୍ମଗଡ଼/ଗୋଲାମୁଣ୍ଡା: ମନରେଗା କାମରେ ମେସିନ୍ର ବ୍ୟବହାର ହୋଇଥିବା ନେଇ ଖୋଦ୍ ସରକାରୀ ଅଡିଟ୍ରେ ଖୁଲାସା ହୋଇଛି। ସରକାରୀ ଅର୍ଥର ଅପବ୍ୟବହାର କରିଥିବାରୁ ସମ୍ପୃକ୍ତ ଅଧିକାରୀ/କର୍ମଚାରୀମାନଙ୍କୁ କାରଣଦର୍ଶାଅ ନୋଟିସ୍ ହୋଇଛି। ଉକ୍ତ ଅର୍ଥ ଭରଣା କରିବାକୁ ତାଗିଦ୍ କରାଯାଇଛି।
ସୂଚନାନୁଯାୟୀ ଗୋଲାମୁଣ୍ଡା ବ୍ଲକ୍ ନକଟିକାନି ପଞ୍ଚାୟତ ଭକ୍ତ ପୁଟେଲ ମନରେଗା ଯୋଜନାରେ ‘ମୋ ପୋଖରୀ’ କରିଥିଲେ। ନିୟମ ଅନୁଯାୟୀ ଏହି କାମରେ ଶ୍ରମିକ ନିୟୋଜିତ ହେବା କଥା। କିନ୍ତୁ ଶ୍ରମିକ ବଦଳରେ ସେଠାରେ ମେସିନ୍ ବ୍ୟବହାର କରାଯାଇ କାମ ହୋଇଥିବା ସୋସିଆଲ୍ ଅଡିଟ୍ ଟିମ୍ ଜାଣିବାକୁ ପାଇଥିଲା। ମେସିନ୍ର ବ୍ୟବହାର ପ୍ରକଳ୍ପ ସମ୍ପର୍କିତ ନିୟମାବଳୀର ଉଲ୍ଲଂଘନ କରୁଥିବାରୁ ଅଡିଟ୍ ଟିମ୍ ନକଟିକାନି ସରପଞ୍ଚ ଯତୀନ୍ଦ୍ର ସେନାପତି, କନିଷ୍ଠ ଯନ୍ତ୍ରୀ କରୁଣାକର ମୁର୍ମୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଭୂବନ ମାଝି, ଜିଆର୍ଏସ୍ ମାର୍ଶିଲ ସେନାପତିଙ୍କୁ ୪୩,୧୨୦ ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଟଙ୍କା ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ୍ ଗ୍ୟାରେଣ୍ଟି ଫଣ୍ଡ୍ ଆକାଉଣ୍ଟରେ ଜମା କରିବାକୁ ଚିଠି ନଂ ୫୩୫/୧୯-୩-୨୧ରେ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଏହି ବ୍ଲକ୍ର ବୋର୍ଡି ପଞ୍ଚାୟତରେ ଏକ ଜାଲିଆତି ହୋଇଥିବା ଅଡିଟ୍ ଟିମ୍ ଜାଣିବାକୁ ପାଇଛି। ଏହି ପଞ୍ଚାୟତରେ ନିର୍ମିତ ହୋଇଥିବା ‘ଗୁହାଳ’ରେ ପରିବହନ ବିଲ୍ ଓ ରସିଦ୍ ଦେଇ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛି। ପଞ୍ଚାୟତର ବନ ପୁଟେଲ ‘ଆଦର୍ଶ ଗୋଶାଳା’ ଯୋଜନାରେ ସାମିଲ୍ ହୋଇଥିଲେ। କିନ୍ତୁ ଏହି କାମରେ ପରିବହନ ବିଲ୍ ଓ ଜାଲ୍ ରସିଦ ଦେଖାଇ ଟଙ୍କା ଆତ୍ମସାତ୍ ହୋଇଥିବା ଜଣାପଡ଼ିଛି। ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଧି ମୋହନ ସିଂ, ଜିଆରଏସ୍ ନୈମିସ୍ ସାହୁ, କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ମୋଟ୍ ୨୮,୧୬୪ଟଙ୍କା ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ୍ ଗ୍ୟାରେଣ୍ଟି ଫଣ୍ଡ୍ ଆକାଉଣ୍ଟରେ ଜମା କରିବାକୁ ଚିଠି ନଂ ୫୩୩/୧୯-୩-୨୧ରେ ନିର୍ଦ୍ଦେଶ ଦିଆଯାଇଛି। ଏହି ଟଙ୍କାତକ ପୂର୍ବରୁ କିମ୍ବା ୧୯/୩/୨୧ ମଧ୍ୟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୋର୍ଡି ପଞ୍ଚାୟତ ସରପଞ୍ଚ ପ୍ରମିଳା ହରିଜନଙ୍କୁ ଯୋଗାଯୋଗ କରିବାରୁ, ସୋସିଆଲ୍ ଅଡିଟ୍ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହି ଯୋଜନାର ସମସ୍ତ କାର୍ଯ୍ୟ ହିତାଧିକାରୀଙ୍କ ଅନୁସାରେ ସମ୍ପାଦନା କରାଯାଏ। ମୁଁ ନିଜେ ସମସ୍ତ ଭାଉଚର ଭଲ କରି ପଢ଼ି ଦେଖି ଦସ୍ତଖତ କରିଛି। ଆମକୁ ବଦନାମ୍ କରିବାକୁ ଏଭଳି ଚକ୍ରାନ୍ତ କରାଯାଇଛି। ମୁଁ ସମସ୍ତ ପ୍ରକାର ତଦନ୍ତ ଲାଗି ପ୍ରସ୍ତୁତ ରହିଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/narega.jpg)