ଜୟପୁର ବ୍ଲକରେ ମନରେଗା ବାଟବଣା, ଟଙ୍କା ଖର୍ଚ୍ଚ ସତ୍ତ୍ବେ ପ୍ରକଳ୍ପର ନାହିଁ ଚିହ୍ନବର୍ଣ୍ଣ

ଜୟପୁର: ପାହାଡିଆ ଅଞ୍ଚଳରେ ଜଳ ସଂରକ୍ଷଣ ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ କରିଥିଲା ଜୟପୁର ବ୍ଲକ୍‌ ପ୍ରଶାସନ। କିନ୍ତୁ ପ୍ରକଳ୍ପର ସୁଫଳ ମିଳିବା ପୂର୍ବରୁ ସବୁ ମାଟିରେ ମିଶିଗଲା। ମନରେଗାରେ ମିଳିଥିବା ଅନୁଦାନର କିଭଳି ଅପଚୟ କରାଯାଇ ପାରିବ ତାହାର ଗୋଟିଏ ଉଦାହାରଣ ମାତ୍ର ଏହି ପ୍ରକଳ୍ପ। ଏହାପରେ ବି ବ୍ଲକ୍‌ ପ୍ରଶାସନ ଚୁପ୍‌ ରହିବା ସନ୍ଦେହକୁ ବଢ଼ାଇଛି। କାରଣ ଯେଉଁ ଉଦ୍ଦେଶ୍ୟରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଥିଲା ତାହା ସାଧିତ ନୋହିଲା। ତଥାପି ପରବର୍ତ୍ତୀ କୌଣସି ପଦକ୍ଷେପ ନିଆଗଲା ନାହିଁ। ତେଣୁ ମନେରଗା ସହ ସଂଶ୍ଳିଷ୍ଟ କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଜୟପୁର ବ୍ଲକ୍‌ ଅନ୍ତର୍ଗତ ଏକମ୍ବା ପଞ୍ଚାୟତର ବାଙ୍କବିଜା ଗ୍ରାମରେ ଭୂତଳ ଜଳସ୍ତର ଯେମିତି କମିବ ନାହିଁ ସେଥିପାଇଁ କଣ୍ଟର ଟ୍ରେଞ୍ଜ (ଗାତ) ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଗାଁ ଛକର ରାସ୍ତପାର୍ଶ୍ବରେ ଥିବା ଗଡ଼ାଣିଆ ଜମିକୁ ଚିହ୍ନଟ କରାଯାଇଥିଲା। ପ୍ରକଳ୍ପ ବାବଦରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ହୋଇଥିଲା। ୨୦୨୦ ଜୁଲାଇ ୨୫ତାରିଖରେ ପ୍ରକଳ୍ପକୁ ଅନୁମୋଦିତ କରି ଅଢ଼େଇ ମାସରେ ଶେଷ କରିବାକୁ ନିର୍ଦ୍ଧାରିତ କରାଯାଇଥିଲା। ପ୍ରକଳ୍ପର ଏଜେନ୍ସି ଦାୟିତ୍ବ ଏକମ୍ବା ପଞ୍ଚାୟତକୁ ପ୍ରଦାନ କରାଯାଇଥିଲା। ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ହୋଇଥିବା ସମୟ ମଧ୍ୟରେ ପ୍ରକଳ୍ପ ଶେଷ ହୋଇ ନଥିଲା।

୨୦୨୧ ମସିହା ଏପ୍ରିଲ ୧ ତାରିଖରେ ଶେଷ ହୋଇଥିବା ଏହି ପ୍ରକଳ୍ପରେ ୭ ମାସ ମଧ୍ୟରେ ୧୯୭ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ସେହିପରି ୧ହଜାର ୬୨ ଶ୍ରମ ଦିବସ ସୃଷ୍ଟି ହୋଇଥିବା ସରକାରୀ ରେକର୍ଡ କହୁଛି। ଗାତ ଖୋଳିବା ବାବଦରେ ୨ଲକ୍ଷ ୧୯ ହଜାର ୮୩୪ ଟଙ୍କା ଖର୍ଚ୍ଚ ହୋଇଥିବା ବ୍ଲକ୍‌ ପ୍ରଶାସନ ଦର୍ଶାଉଛି। କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ତାହା ଏବେ ସନ୍ଦେହ ଘେରକୁ ଆସିଛି। କାରଣ ଶହ ଶହ ଗାତ ଖୋଳା ଯାଇଥିବା ରିପୋର୍ଟରେ ରହିଥିବା ବେଳେ ବର୍ଷକ ମଧ୍ୟରେ ସବୁ ଗାତ ଉଭାନ ହୋଇ ଯାଇଛି। ଗୋଟିଏ ବି ଗାତ ଦେଖାଯାଉନି, ପୂରା ଅଞ୍ଚଳ ସମତୁଲ ହୋଇ ରହିଛି। କେବଳ ଯେ ଗାତ ଉଭେଇ ଯାଇନି, ମନରେଗା କାମ ସୂଚନା ଫଳକ ମଧ୍ୟ ସେଠାରେ ନାହିଁ। ଯାହାଫଳରେ କେବେ କାମ ହୋଇଛି ଓ କ’ଣ କାମ ହୋଇଛି ତାହାର କୌଣସି ସୂଚନା ମିଳୁନି। ତେଣୁ ଜୟପୁର ବ୍ଲକ୍‌ରେ ମନରେଗା ବାଟବଣା ହୋଇଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ଜୟପୁର ବ୍ଲକ୍‌ ଏପିଓ ମାନସ ରଞ୍ଜନ କରଙ୍କୁ ଏହି ପ୍ରକଳ୍ପ ବାବଦରେ ପଚାରିବାରୁ ଯେଉଁ ଉତ୍ତର ରଖିଥିଲେ ତାହା ରହସ୍ୟ ବଢ଼ାଉଛି। ଏପିଓଙ୍କ କହିବା ହେଲା, ବାଙ୍କବିଜା ଗାଁରେ ମନରେଗାରେ ୮୧୦ଟି ଗାତ ଖୋଳାଯାଇଥିଲା। ଏହି କାମ ତିନୋଟି ପର୍ଯ୍ୟାୟରେ ହୋଇଥିଲା। ତେବେ ଗାତ ସବୁ ଉଭାନ ହୋଇଯାଇଥିବା ସଂପର୍କରେ ଏପିଓଙ୍କୁ ପଚାରିବାରୁ ଗୋଳମାଳିଆ ଉତ୍ତର ଦେଇଥିଲେ। ସରକାରୀ ଅନୁଦାନ ଖର୍ଚ୍ଚର ସଠିକ୍‌ ବିବରଣୀ ଦେବା ବଦଳରେ ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି ସଫେଇ ଦେଇଥିଲେ। ଯଦି ସରକାରଙ୍କ ପକ୍ଷରୁ ଏତେ ଟଙ୍କା ବ୍ୟୟରେ ଗାତ ଖୋଳାଯାଉଛି ତାହା ଅଛି ନାହିଁ ଜାଣିବା ପାଇଁ ବିଭାଗ ପକ୍ଷରୁ ଆଦୌ ଗୁରୁତ୍ବ ଦିଆଯାଇ ନଥିବା ଏହି ପ୍ରକଳ୍ପରୁ ସ୍ପଷ୍ଟ ଜଣାପଡ଼ୁଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକ ସଂଗିନ୍‌ ଅଭିଯୋଗ କରି ପ୍ରକଳ୍ପର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ କହିବା ହେଲା ଜଣେ ଠିକାଦାର ଗାତ ସବୁ ଖୋଳାଇଥିଲେ। କିନ୍ତୁ ଗାତ ଖୋଳିବାର କିଛି ଦିନ ପରେ ରାତାରାତି ତାହାକୁ ପୋତି ଦିଆଗଲା। କେତେ ଗାତ ଖୋଳା ଯାଇଥିଲା ଜାଣିନଥିବା କହିଛନ୍ତି। ଯଦି ଗାତକୁ କେହି ପୋତି ଦେଇଛି ତେବେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। କାରଣ ସରକାରୀ ଅନୁଦାନରେ ନିର୍ମିତ ପ୍ରକଳ୍ପକୁ କେହି ବି ନଷ୍ଟ କରିପାରିବେ ନାହିଁ। ତେବେ ଏଠାରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବ୍ଲକ୍‌ ପ୍ରଶାସନ ଚୁପ୍‌ ରହିଛି ତାହା ତଦନ୍ତ ସାପେକ୍ଷ

ସମ୍ବନ୍ଧିତ ଖବର