ମନ୍‌ରେଗା ମହାଦୁର୍ନୀତି, କାମ କରି ଟଙ୍କା ପାଇଲେନି ଶ୍ରମିକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ମନ୍‌ରେଗାରେ ମହାଦୁର୍ନୀତି ସାମନାକୁ ଆସିଛି। କାମ କରି ଶ୍ରମିକ ଟଙ୍କା ପାଇନଥିବା ବେଳେ ଗାଁସାଥି କାମ କରିନଥିବା ଲୋକଙ୍କ ଆକାଉଣ୍ଟରେ ଟଙ୍କା ପକାଇ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଖପ୍ରାଖୋଲ ବ୍ଲକ୍‌ ଦମେଇପାଲି ଗାଁରେ ୧୦ ଲକ୍ଷ ଟଙ୍କା ମାଟି କାମରେ ଏଭଳି ଦୁର୍ନୀତି ହୋଇଛି। କାମ କରି ଟଙ୍କା ପାଇନଥିବା ଶ୍ରମିକମାନେ ଶନିବାର ବଲାଙ୍ଗୀର ପିଡିଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି।

ଶ୍ରମିକଙ୍କ ଅଭିଯୋଗ ଅନୁସାରେ, ଗାଁସାଥୀ ତଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ଗାଁରେ ମାଟି କରୁନଥିବା ଲୋକଙ୍କ ପାସ୍‌ବୁକରେ ପଇସା ପକାଇ ସବୁ ଟଙ୍କା ଆତ୍ମସାତ କରୁଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ଜମାଖାତାରେ ପଇସା ପକାଇ ମନ୍‌ରେଗା କାମରେ ମହାଦୁର୍ନୀତି କରିଛନ୍ତି। ପୋଖରୀ ମାଟି କାମ ପାଇଁ ୧୦ ଲକ୍ଷ ଟଙ୍କା ଆସିଥିଲା। ୫ ଲକ୍ଷର ମାଟିକାମ କରାଇ ୫ ଲକ୍ଷ କାମ କରାଯାଇନି। ଆଉ ୧୦ ଲକ୍ଷ ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ପଞ୍ଚାୟତ ସରପଞ୍ଚ, ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପିଡିଙ୍କୁ ଦାବିପତ୍ର ଦେଇଥିବା ପ୍ରକାଶ କରିଛନ୍ତି। ଏହାସହ ପରିଶ୍ରମ କରି ମାଟିକାମ କରିଥିବା ଶ୍ରମିକଙ୍କୁ ପାଉଣା ଦେବାକୁ ଭରତ ସାହୁ, ଦେବରା ବରିହା, ଚିନ୍ତା ବାଗ, ସବିତା ବାଗ, ପାଣ୍ଡବ ବାଗ, ମିଲୁ ଦଣ୍ଡସେନା, ସନ୍ତୋଷ ବାରିକଙ୍କ ସମେତ ଶତାଧିକ ଶ୍ରମିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର