ଦେଓଘାଟ ପଞ୍ଚାୟତରେ ମନରେଗା ଦୁର୍ନୀତି, ଗାତ ଖୋଳି ଲୁଟି ନେଲେ ଟଙ୍କା  

ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସମିତିସଭ୍ୟ

କୋରାପୁଟ : କୋରାପୁଟ ବ୍ଲକରେ ମାଡିଛି ମନରେଗାର ଦୁର୍ନୀତି । କୋଭିଡ ସମୟରେ ସରକାରୀ ଅର୍ଥକୁ ଚଳୁ କରିଛନ୍ତି ସରକାରୀ କର୍ମଚାରୀ ଓ ଠିକାଦାର । ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ତହବିଲରୁ ଯାଇଛି ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା । ମାତ୍ର କେତେଟି ଗାତ ଖୋଳିବିଲ ହୋଇଥିବାବେଳେ ଦେଖି ଅଣଦେଖା କରିଛନ୍ତି ସରକାରୀ ବାବୁ । ଶ୍ରମିକଙ୍କ ଉନ୍ନତି ପାଇଁ ମନରେଗା ମାଧ୍ୟମରେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିବାବେଳେ ତାହା କୋରାପୁଟ ଜିଲ୍ଲାପାଳଙ୍କ ନାକତଳେ ବ୍ଲକରେ ହୋଇଛି ବ୍ୟାପକ ଦୁର୍ନୀତି । ଏନେଇ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦେଓଘାଟି ସମିତି ସଭ୍ୟ ଧୀରେନ କୁମାର ନାଗ । ସେ ଅଭିଯୋଗ ଆଣିଛନ୍ତି ଏହି ଦୁର୍ନୀତିରେ ଜଣେ ଜିଆରଏସ ଓ ବ୍ଲକର କିଛି କର୍ମଚାରୀ ସିଧାସଳଖ ସମ୍ପୃକ୍ତି ରହିଛନ୍ତି । ପଞ୍ଚାୟତରେ କାମ ନ କରି ବିଲ କରି ପ୍ରାୟ ୭ ଲକ୍ଷ ଟଙ୍କା ହରିଲୁଟ କରି ଦେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଦେଓଘାଟିରେ ଷ୍ଟ୍ରେଞ୍ଜ ଖୋଳାରେ ହୋଇଛି ବ୍ୟାପକ ଦୁର୍ନୀତି । ଗୋଟିଏ ଅଞ୍ଚଳରେ ମାତ୍ର କେତେଟି ଗାତ ଖୋଳାଯାଇ କରାଯାଇଛି ଲକ୍ଷାଧିକ ଟଙ୍କାର ଦୁର୍ନୀତି । ଗୋଟିଏ କାମ କରାଯାଇଛି ହେଲେ ହୋଇଛି ତିନି ତିନିଟି ମାଷ୍ଟର ରୋଲ । ମଷ୍ଟରରୋଲ ନମ୍ବର ୨୪୧୦୦୧୦୦୩/ ଡବ୍ଲୁସି/ ୧୦୪୦୭୫୩୦ (୧/୧/୨୦୨୦ରୁ କାର୍ଯ୍ୟ ଆରମ୍ଭ ୪/୨/୨୦୨୧ରେ କାର୍ଯ୍ୟ ଶେଷ)ରେ ୨ ଲକ୍ଷ ୮୨ ହଜାର୨୪୩ ଟଙ୍କା, ମଷ୍ଟରରୋଲ ୨୪୧୧୦୦୧୦୦୩ /ଡବ୍ଲୁସି/ ୧୦୪୩୫୫୬୬ (୮/୬/୨୦୨୦ରୁ କାର୍ଯ୍ୟ ଆରମ୍ଭ ୪/୨/୨୦୨୦ରେ ଶେଷ)ରେ ୧ ଲକ୍ଷ ୭୩ ହଜାର ୪୬୬ ଟଙ୍କା ବିଲ ହୋଇଛି । ଏହି ଦୁଇ ମାଷ୍ଟରରୋଲ ଅନୁସାରେ ମୁର୍ଗା ଓ ବାଲା ପାହାଡରେ ୯୫ଟି ଗାତ(୧୦ଞ୍ଚ୨) ଖୋଳାଯାଇଛି । ଖାଲି ସେତିକି ନୁହେଁ କହିବାକୁ ଗଲେ ମାଷ୍ଟରରୋଲ ୨୪୧୧୦୦୧୦୦୩/ ଡବ୍ଲୁସି/ ୧୦୪୨୯୯୩୨ (୧୩/୩/୨୦୨୧ରୁ କାର୍ଯ୍ୟ ଆରମ୍ଭ ହୋଇ ୮/୬/୨୦୨୧)ରେ ୩ ଲକ୍ଷ ୭ ହଜାର ୧୪ ଟଙ୍କାର ବିଲ୍ ହୋଇଛି । ତେବେ ଯେଉଁ ବିଲ ହୋଇଛି ସେଥିରେ ଯେଉଁ ଶ୍ରମିକଙ୍କ ନାମ ଉହ୍ଲେଖ କରାଯାଇଛି ସେମାନେ ଏହିଠାରେ ନାହାନ୍ତି । କିଛି ଲୋକଙ୍କ ନାମରେ ଫେକ୍ ଜବକାର୍ଡ କରାଯାଇ ଠିକାଦାର ହାତେଇ କାମ କରିଥିବା ଜଣାପଡିଛି । ତେବେ ଏହି ଟଙ୍କା ଅନୁସାରେ ପ୍ରାୟ ୨୪୫ରୁ ଅଧିକ ଗାତ ଖୋଳାଯିବା କଥା । ହେଲେ ମାତ ୯୫ଟି ଗାତ ଖୋଳାଯାଇଛି । ସେହିପରି କେନ୍ଦୁଗୁଡାରେ ମାଷ୍ଟରରୋଲ ୨୪୧୧୦୦୧୦୦୩/ ଡବ୍ଲୁସି/ ୧୦୪୨୯୮୧୫ ଅନୁସାରେ ପ୍ରାୟ ୧୫୦୦ ଗାତ ଖୋଳାଯିବା କଥା କିନ୍ତୁ ମାତ୍ର ୭୦୦ଟି ଗାତ ଖୋଳାଯାଇ ୫ ଲକ୍ଷ ୩ହଜାର୧୫୭ ଟଙ୍କା ବିଲ ହୋଇଛି । ସେହିପରି ଲାଉରିଗୁଡା ଗ୍ରାମରେ ମାଷ୍ଟାରରୋଲ ନମ୍ବର ୨୪୧୧୦୦୧୦୦୩/ ଡବ୍ଲୁସି/ ୧୦୪୨୯୯୨୯ ଓ ୨୪୧୧୦୦୧୦୩/ ଡବ୍ଲୁସି/ ୧୦୪୨୯୯୩୦ରେ ୪ ଲକ୍ଷ ୯୬୨୪ ଟଙ୍କା ବିଲ ହୋଇଥିବାବେଳେ ମାତ୍ର ୪୧୨ଟି ଗାତ ଖୋଳାଯାଇଛି । ସେହିପରି ବଗାଇପଦର ଗାଁରେ ୨୪୧୧୦୦୧୦୦୩/ ଡବ୍ଲୁସି/୧୦୪୨୯୯୨୫ରେ ୨ଲକ୍ଷ ୫୮ହଜାର ୩୧୫ ହଡପ ହୋଇଛି ।
ଖୋଳାଯାଇଥିବା ସଂଖ୍ୟାକୁ ଗଣନା କରା ନ ଯାଇ ଲକ୍ଷାଧିକ ଟଙ୍କା ବିଲ ହୋଇଛି । ଟଙ୍କା ଶ୍ରମିକଙ୍କ ଆକାଉଣ୍ଟକୁ ମଧ୍ୟ ଯାଇ ସାରିଛି । ହେଲେ ଯେଉଁ ଶ୍ରମିକଙ୍କ ଅକାଉଣ୍ଟକୁ ଏହି ଅର୍ଥ ଯାଇଛି ସେମାନେ ଗାଁରେ ନ ଥିବା ଜଣାପଡିଛି । ସ୍ଥାନୀୟ ଜିଆରଏସ ଓ ଠିକାଦାର ଏବଂ ବ୍ଲକର କିଛି କର୍ମଚାରୀ ଲୁଟି ଖାଇଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର