ମନରେଗାର ବିକଳ ଚିତ୍ର : କରୋନା କାଳରେ ଜିଲ୍ଲାରେ କାମ କରିଛନ୍ତି ୧୫୩୮ଜଣ ବୃଦ୍ଧ 

୯୩ ବର୍ଷରେ କାମ କରିଛନ୍ତି ବାଲି ଗୌଡ

ଜୟପୁର: ଦିନେ ନୁହେଁ କି ଅଧେ ନୁହେଁ ମାସେଲଧିକ କାଳ ପ୍ରଶାସନ ପକ୍ଷରୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମନରେଗାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୃଦ୍ଧବୃଦ୍ଧା। ଯେଉଁ ବୃଦ୍ଧବୃଦ୍ଧା ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି ସେମାନେ ସରକାରଙ୍କ ପାଇଁ ଏହିଠାରେ କାର୍ଯ୍ୟ କରିଛନ୍ତି। ପ୍ରକୃତରେ ଏହି ବୃଦ୍ଧ କାର୍ଯ୍ୟ କରିଛନ୍ତି ନା ସେମାନଙ୍କ ନାମରେ ଜବ କାର୍ଡରେ ଠିକାଦାର କାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରିସରଭୁକ୍ତ ହେବା ଉଚିତ।

କରୋନା କାଳରେ ବେଶ ଫଳପ୍ରଦ ହୋଇଥିଲା ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା। ଏହି ଯୋଜନାରେ ରାଜ୍ୟ ବାହାରୁ କୋରାପୁଟ ଜିଲ୍ଲାକୁ ଆସିଥିବା ଶ୍ରମିକଙ୍କୁ ନିୟୋଜିତ କରି କର୍ମସଂସ୍ଥାନ ସୃଷ୍ଟି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ଏହି କ୍ରମରେ ଜିଲ୍ଲାର ୧୪ଟି ବ୍ଲକରେ ପଞ୍ଜୀକୃତ ହୋଇଥିବା ୨୮ହଜାର ୫୦୨ଜଣ ୮୦ବର୍ଷରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ କାର୍ଯ୍ୟ କରିଛନ୍ତି ୧୫୩୮ଜଣ ବୃଦ୍ଧ ଶ୍ରମିକ। ଗୋଟିଏ ପଟେ ସରକାରଙ୍କଠାରୁ ବୃଦ୍ଧ ହୋଇଥିବା କାରଣରୁ ବାର୍ଦ୍ଧକ୍ୟ ଭତ୍ତା ନେଇଥିବାବେଳେ ଅନ୍ୟପଟେ ଜବକାର୍ଡ ଧରି ସରକାରଙ୍କର ଏହି ମହାତ୍ବକାକ୍ଷୀ ଯୋଜନାରେ ଯୋଗ ଦେଇ ଯୋଜନାକୁ ସଫଳ କରିଛନ୍ତି।

ଗୋଟିଏ ପଟେ ସରକାରଙ୍କଠାରୁ ଅର୍ଥ ନେଇଥିବାବେଳେ ଅନ୍ୟପଟେ କିପରି ଏହି ଯୋଜନାରେ ନିଜକୁ ନିୟୋଜିତ କଲେ ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସର୍ବାଧିକ ଭାବେ ଜିଲ୍ଲାର ବୋରିଗୁମ୍ମାରେ ୩୦୫ ଶ୍ରମିକ, ଦଶମନ୍ତପୁରରେ ୨୨୮ଜଣ, ଲମତାପୁଟରେ ୨୦୬ଜଣ, ବୈପାରିଗୁଡାରେ ୧୫୩ଜଣ, କୁନ୍ଦୁରାରେ ୧୨୧ଜଣ, ନନ୍ଦପୁରରେ ୧୦୦, କୋଟପାଡରେ ୮୩, ବନ୍ଧୁଗାଁରେ ୬୭, ଲକ୍ଷ୍ମୀପୁରରେ ୬୦, ପଟାଙ୍ଗୀରେ ୬୧, ଜୟପୁରରେ ୪୧, କୋରାପୁଟରେ ୪୪, ସେମିଳିଗୁଡାରେ ୪୫ ଓ ନାୀରାୟଣ ପାଟଣାରେ ୨୪ ଜଣ ଶ୍ରମିକ କାମ କରିଛନ୍ତି। କୋରାପୁଟ ଜିଲ୍ଲାରେ ୨୮ହଜାର ୫୦୨ ଜଣ ପଞ୍ଜୀକରଣ କରାଯାଇଥିବାବେଳେ ୧୫୩୮ ବୃଦ୍ଧବୃଦ୍ଧା ଶ୍ରମିକଭାବେ କାର୍ଯ୍ୟ କରିଛନ୍ତି।

ତେବେ ଜୟପୁର ବ୍ଲକର ଫାମ୍ଫୁଣୀ ପଞ୍ଚାୟତରେ ୧୨ଜଣ ୮୦ ବର୍ଷରୁ ଅଧିକ ବୃଦ୍ଧ ଶ୍ରମିକ ରହିଥିବାବେଳେ ସେଥିମଧ୍ୟରୁ ଫାମ୍ଫୁଣୀ ଗାଁର ରାମ ଚନ୍ଦ୍ର ବାଘ(୮୧) ୪୨ ଦିନ କାମ କରିଥିବାବେଳେ ଉମା ପରଜା(୮୪) ୪୭ ଦିନ ମନ ନରେଗାରେ କାମ କରିଛନ୍ତି। ସେହିପରି ଲାବନ୍ୟ ଚୌଧୁରୀ (୮୩) ୨୮ ଦିନ, ଦଇମତି ନାୟକ(୮୪) ୧୫ ଦିନ ଓ ବାଲି ଗୌଡ(୯୩) ଚଳିତ ଆର୍ଥିକ ବର୍ଷରେ ୧୪ ଦିନ କାମ କରିଛନ୍ତି। ରାମ ଚନ୍ଦ୍ର ବାଘ ଅଭେନ୍ୟୁ ପିଡବ୍ଲୁଡି ରୋଡରୁ କଙ୍କଡାହାଣ୍ଡିକୁ ଯୋଡୁଥିବା ରାସ୍ତାରେ ସେ ଅନାବୃଷ୍ଟି ପାଇଁ ଗାତଖୋଳା କାର୍ଯ୍ୟ, ମୂଳାସର ରାସ୍ତାର ଗାତଖୋଳା କାର୍ଯ୍ୟରେ ୪୨ ଦିନ ନିୟୋଜିତ ହୋଇଛନ୍ତି। ସେ ସେପ୍ଟେମ୍ବର ୨୪ ତାରିଖରୁ ଚଳିତମାସ ୧୧ ତାରିଖ ଯାଏ ମୋଟ ୪୨ ଦିନ କାମ କରିଥିବାବେଳେ ୮୬୯୪ ଟଙ୍କା ଆକାଉଣ୍ଟରେ ପାଇଛନ୍ତି।

ସେହିପରି ଉମା ପରଜା ଏପ୍ରିଲ ୧୭ ତାରିଖରୁ ପରିବାର ସହ ମୋଟ ୯୪ ଦିନ, କଲଭର୍ଟ ନିର୍ମାଣ, ଚାରା ପ୍ରଦାନ ଓ ରାସ୍ତା ତିଆରି କାମରେ ନିୟୋଜିତ ହୋଇଛନ୍ତି। ମୋଟ ପରିବାର ସହ ୯୪ ଦିନ କାମ କରି ୧୯୪୫୮ ଟଙ୍କା ସରକାରଙ୍କଠାରୁ ନେଇଥିବା ଜଣାପଡିଛି। ସେହିପରି ବୟସ୍କ ଲାବନ୍ୟ ଚୌଧୁରୀ ପିଏମଏୱାଇ ଘର ତିଆରିରେ ୨୮ଦିନ କାମ ପାଇଥିବାବେଳେ ମୋଟ ୫୭୯୬ ଟଙ୍କା ସରକାରଙ୍କଠାରୁ ନେଇଛନ୍ତି। ସେହିପରି ଦଇମତି ନାୟକ ଓ ବାଲି ଗୌଡଙ୍କୁ ରାସ୍ତା ନିର୍ମାଣ, ଚାରା ବଣ୍ଟନ ଓ କଲଭର୍ଟ ନିର୍ମାଣ କାମ କରାଇଛି ବ୍ଲକ ପ୍ରଶାସନ। ତେବେ ରାମ ଚନ୍ଦ୍ର ବାଘ, ଉମା ପରଜା, ଲାବନ୍ୟ ଚୌଧୁରୀ, ଦଇମତି ନାୟକ ଓ ବାଲି ଗୌଡଙ୍କୁ କିପରି କାର୍ଯ୍ୟରେ ନିୟୋଜିତ କରାଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ତେବେ ସରକାରଙ୍କର ଅବସର ସମୟସୀମା ୬୫ ବର୍ଷ ରହିଥିବାବେଳେ କିପରି ୮୦ବର୍ଷରୁ ଅଧିକ ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ୬୧ ବର୍ଷରୁ ୮୦ ବର୍ଷ ମଦ୍ୟରେ ଜିଲ୍ଲାରେ ୧ ଲକ୍ଷ ୪୯ ହଜାର ୧୩୮ଜଣ ପଞ୍ଜୀକୃତ ହୋଇଥିବାବେଳେ କାର୍ଯ୍ୟ ପାଇଛନ୍ତି ୨୨ହଜାର ୭୭୪ଜଣ ବୃଦ୍ଧବୃଦ୍ଧା। ସେହିପରି ଜିଲ୍ଲାରେ ୫୧ ବର୍ଷରୁ ୬୦ ବର୍ଷ ମଧ୍ୟରେ  ୧ଲକ୍ଷ ୬୫ ହଜାର ୩୮୮ଜଣ ଶ୍ରମିକ ପଞ୍ଜୀକରଣ କରିଥିବାବେଳେ ୪୩ ହଜାର ୩୦୧ ଜଣ ଶ୍ରମିକ ଲକଡାଉନ ସମୟରେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଏନେଇ ଜୟପୁର ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତ ଯେ, ଆଧାରକାର୍ଡରେ ତ୍ରୁଟି ରହିଥିଲେ ଏପରି ହୁଏ। ଯଦି ଆଧାରକାର୍ଡ ତ୍ରୁଟି ସଂଶୋଧନ କରାଯିବ ତେବେ ଏହି ତ୍ରୁଟି ରହିବନାହିଁ। ହେଲେ ଫାମ୍ଫୁଣୀ ପଞ୍ଚାୟତରୁ ଆସିଥିବା ଏପରି ଅଭିଯୋଗକୁ ଆମେ ଗୁରତ୍ବ ସହ ନେଇ ଏହାର ତ୍ରୁଟି ସଂଶୋଓନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର