ଏମଜିଏନଆରଜିଏରେ ୧୦୦% ବଦଳରେ ୯୯.୬୮ ପ୍ରତିଶତ ପେମେଣ୍ଟ, କାଶୀପୁରର ସହାୟିକା ବହିଷ୍କୃତ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ କାର୍ଯ୍ୟରତ ଏମଜିଏନଆରଜିଏରେ ସମୟ ସୀମା ନଧ୍ୟରେ ଶ୍ରମିକଙ୍କୁ ୧୦୦ ପ୍ରତିଶତ ବଦଳରେ ୯୯.୬୮ ପ୍ରତିଶତ ଟଂକା ଦେବାରୁ ସହାୟିକା ସ୍ନେହଲତା ପାତ୍ରଙ୍କୁ ବହିଷ୍କୃତ କରାଯାଇଛି। ଶ୍ରୀମତି ପାତ୍ର ଗତ ୨୦୧୨ ମସିହାରୁ କାଶୀପୁର ବ୍ଲକରେ ଏମଜିଏନଆରଜିଏରେ ସହାୟିକା ଭାବେ କାର୍ଯ୍ୟ କରୁଛନ୍ତି। ତାଂକୁ ଅଚାନକ ବହିଷ୍କୃତ କରାଯିବା ପରେ ସେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଭେଟି ନିଜର ଭୁଲ ସ୍ବୀକାର କରିବା ସହ ପୁନଃ କାର୍ଯ୍ୟରେ ନିଯୁକ୍ତି ଦେବାକୁ ନେହୁରା ହୋଇଛନ୍ତି।

ପ୍ରକାଶ ଥାଉକି କାଶୀପୁର ବ୍ଲକରେ ୨୪ଟି ପଞ୍ଚାୟତ ରହିଥିବା ବେଳେ ସେ ନିଜର ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ଚଳାଇ ଆସୁଥିଲେ। ଏପରିକି ବରିଷ୍ଠ ଅଧିକାରୀଙ୍କ ସମସ୍ତ ନିର୍ଦେଶ ଓ ପରାମର୍ଶକୁ ମାନିଆସୁଥିଲେ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। କାଶୀପୁର ବ୍ଲକରେ ଦୀର୍ଘ ଦିନ ଧରି ଏମଜିଏନଆରଜିଏର ଏପିଓ ଅନୁପସ୍ଥିତ ରହିଥିଲେ ମଧ୍ୟ ସେ ନିୟମିତ କାର୍ଯ୍ୟ କରିଆସୁଥିବା କହିଛନ୍ତି। ଗତ ୩.୫.୨୦୨୩ ତାରିଖେ ମାଷ୍ଟର ରୋଲ ପେମେଣ୍ଟରେ ସମୟ ଅନୁବର୍ତ୍ତିତା ଶତକଡା ୧୦୦ ପ୍ରତିଶତ ବଦଳରେ ୯୯.୬୮ ପ୍ରତିଶତ ହୋଇଥିବାରୁ ତାଂକୁ ଏହି ଦଣ୍ଡ ଦିଆଯାଇଛି। ସେହିଦିନ ହିଁ ଚନ୍ଦ୍ରପୁର ବ୍ଲକରେ ୧୦୦ ପ୍ରତିଶତ ବଦଳରେ ୯୯.୦୮ ପ୍ରତିଶତ ହୋଇଛି। କିନ୍ତୁ ସେହି ବ୍ଲକର ବିଡିଓ ତାଂକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ତେବେ ସେ ମଧ୍ୟ ଏତେବଡ ଭୁଲ କରିନଥିବା କହିବା ସହ ତାଂକୁ ଚାକିରିରୁ ବହିଷ୍କୃତ କରିବା କେତେଦୁର ଯୁକ୍ତିଯୁକ୍ତ ବୋଲି ପତ୍ରରେ ଦର୍ଶାଇଛନ୍ତି। ତାଂକ ପରିବାରରେ ସେ ଜଣେ ମାତ୍ର ରୋଜଗାରିଆ।ତାଂକର ଗୋଟିଏ ଛୋଟ ଝିଅ ରହିଛି।ସେ ଚାକିରିରୁ ବହିଷ୍କୃତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି।ପୁଣି ସେ ମାନସିକ ଓ ଶାରିରୀକ ଅବସ୍ଥା ଠିକ ରହୁନଥିବା କହିଛନ୍ତି। ଆଗାମୀ ଦିନରେ ନିଜର ଭୁଲକୁ ସୁଧାରିବା ସହ କେବେ ମଧ୍ୟ ଅଭିଯୋଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ କିନ୍ତୁ ସେ କାମରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ କାଶୀପୁର ବିଡିଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଲେଖିବା ପରେ ନିର୍ବାହୀ ଅଧିକାରୀ ମଧ୍ୟ ସର୍ଭିସ ପ୍ରଭାଇଡରଙ୍କୁ ତୁରନ୍ତ ସ୍ନେହଲତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରି ନୂତନ ସହାୟକଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖିଛନ୍ତି। କିନ୍ତୁ ସ୍ନେହଲତାଙ୍କୁ ଥରେ ସୁଯୋଗ ଦେବା କଥା ବୋଲି ସ୍ଥାନୀୟ ଅଂଚଳର ଲୋକେ ଦାବି କରିଛନ୍ତି। ଜିଲ୍ଲାପାଳ ଏନେଇ ଉଚିତ ତଦନ୍ତ କରି ସ୍ନେହଲତା ପ୍ରତି ହୋଇଥିବା ଅବିଚାରକୁ ବିଚାର କରି ତାଂକୁ ପୁନଃ ନିଯୁକ୍ତି ଦିଆଯିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର