ମୋଟୁ ସୀମାରେ ପହଞ୍ଚି ପ୍ରବାସୀର ମୃତ୍ୟୁ; ଅନ୍ତିମ ସଂସ୍କାର କଲା ପ୍ରଶାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହାଇଦ୍ରାବାଦରୁ ଆଜି ସକାଳେ ଦୁଇ ପ୍ରବାସୀ ମୋଟୁ ସୀମାରେ ପହଞ୍ଚିବା ପରେ ଜଣକର ମୃତ୍ୟୁ ହୋଇଯାଇଥିଲା। ଘଟଣା ଅନୁଯାୟୀ ହାଇଦ୍ରାବାଦରେ କୌଣସି ଏକ ସ୍ଥାନରେ ସୁଧିର ରଂଜନ ବିଶ୍ବାଳ (୫୨) କାମ କରୁଥିଲେ। ଲକଡାଉନ ହେବା ଫଳରେ ସେ ନିଜର ସଂପର୍କୀୟ ଭାଇ ସହ ମାଲକାନଗିରି ଦେଇ ନିଜ ଘର ବାଲେଶ୍ବରକୁ ଯାଇଥାନ୍ତେ।

ଏଠାରେ ସୂଚନା ଯୋଗ୍ୟ ଯେ ସୁଧିରଙ୍କ ଘର ବାଲେଶ୍ବର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ଶିଙ୍ଘାଖୋଟା ପଞ୍ଚାୟତର କୁମ୍ଭି ଗ୍ରାମ। ସୁଧିରଙ୍କ ବାପାଙ୍କ ନାମ କରୁଣାକର ବିଶ୍ବାଳ। ତେବେ ଆଜି ସକାଳେ ସୁଧିର ମୋଟୁ ସୀମାରେ ପହଞ୍ଚିବା ପରେ ଅସୁସ୍ଥ ହୋଇପଡିଥିଲେ। ଦେହ ଖରାପ ହୋଇଥିବା କହି ବସିପଡିଥିଲେ। ପାଖରେ ଥିବା କିଛି ଔଷଧ ଖାଇଥିଲେ। ତେବେ ଅଚାନକ ତାଂକର ମୃତ୍ୟୁ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଶବ ସୀମାରେ ପଡି ରହିବା ପରେ ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଇଥିଲା। ତହସିଲଦାର ଶଶାଙ୍କ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମୃତ ସୁଧିରଙ୍କ ଶବର ସତ୍କାର କରାଯାଇଥିଲା। ତେବେ ତାଂକର କରୋନାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇନାହିଁ। ସୁଧିରଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଥିବା ଜଣାପଡିଛି।

ମାଲକାନଗିରି ମୋଟୁ ସୀମାରେ ଆଜି ସୁଦ୍ଧା ୧୪ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ମାଲକାନଗିରି ଅତିକ୍ରମ କରି ନିଜ ନିଜ ଅଂଚଳରେ ପହଞ୍ଚିସାରିଲେଣି।ଅନ୍ୟ ଜିଲ୍ଲାର ପ୍ରବାସୀମାନଙ୍କୁ ସେହି ଜିଲ୍ଲା ପ୍ରଶାସନକୁ ଅବଗତ କରାଇ ଗାଡିର ବନ୍ଦବସ୍ତ କରାଯାଇଥିବା ଜଣାପଡିଛି। ତେବେ ସମସ୍ତଙ୍କର କରୋନା ଟେଷ୍ଟ ହେବା ପରେ ହିଁ ଜିଲ୍ଲା ଭିତରକୁ ପ୍ରବେଶ କରାଯାଉଛି। ମାଲକାନଗିରି ଜିଲ୍ଲାରେ ଆଜି ୬୨ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ମାଲକାନଗିରି ପୌର ପରିଷଦରେ ୮ ଜଣ, ମାଲକାନଗିରି ବ୍ଲକରେ ୧୧ ଜଣ, ବାଲିମେଳା ଏନଏସିରେ ଜଣେ, ଖଇରପୁଟ ବ୍ଲକରେ ୧୪ ଜଣ, ମାଥିଲି ବ୍ଲକରେ ୪ ଜଣ, କାଲିମେଳା ବ୍ଲକରେ ୧୨ ଜଣ, କୋରକୋଣ୍ଡା ବ୍ଲକରେ ୮ ଜଣ, ପଡିଆ ବ୍ଲକରେ ୩ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ଜଣେ ଚିହ୍ନଟ ହୋଇଥିବା କୁହାଯାଇଛି।

ଆଜି ସୁଦ୍ଧା ଜିଲ୍ଲାରେ ୬୧୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୫୫୬୫ ଜଣ ସୁସ୍ଥ ହୋଇଛନ୍ତି। ୨୭ ଜଣ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ୫୮୭ ଜଣ ଚିକିତ୍ସିତ ହେଉଥିବା କୁହାଯାଇଛି। ଗତ ଶନିବାର ଏବଂ ରବିରା ଦୁଇ ଦିନ ସଟଡାଉନ ପରେ ଆଜି ପୁଣି ଲକ୍ଡାଉନ ହୋଇଛି।ପୁ ଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ସମେତ ବିଭିନ୍ନ ଅଂଚଳରେ ଯାଞ୍ଚ କଡାକଡି କରାଯାଇଛି। ଅମାନିଆଙ୍କୁ ସାବାଡ କରାଯାଉଥିବା ଦେଖିବାକୁ ମିଳିଥିଲା। ଏସପି ଏବଂ ଜିଲ୍ଲାପାଳଙ୍କ ନେତୃତ୍ବରେ ଗତ ଦୁଇ ଦିନ ସହର ସାରା ପଇଁତରା ମାରିବା ପରେ ଲୋକେ ଭୟଭିତ ହୋଇ ଘରୁ ପଦାକୁ ବାହାରୁନଥିବା ଦେଖିବାକୁ ମିଳିଛି। ତେଣୁ ଜିଲ୍ଲାରେ କରୋନା ସଂକ୍ରମିତ କମି କମି ଆସୁଥିବା କୁହାଯାଇଛି।

ସମ୍ବନ୍ଧିତ ଖବର