କୋମନା: ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ପଞ୍ଚାୟତ କୁଞ୍ଜଲପଡ଼ା ଗାଁର କଦମ୍ବ ନାଗ (୩୮ବର୍ଷ)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଝିଅ ଅସହାୟ ହୋଇ ପଡ଼ିଛନ୍ତି ।
ପ୍ରକାଶ ଯେ କଦମ୍ବ ଗତ ଫେବ୍ରୁଆରି ମାସରେ ବଲାଙ୍ଗୀର ଜିଲ୍ଲା ଝରନି ଗାଁର ଦୈତାରି ରଣଙ୍କଠାରୁ ୬୦ ହଜାର ଟଙ୍କା ଅଗ୍ରିମ ନେଇ ପରିବାର ସହିତ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ। ସେଠାରେ ୟାଦ୍ରିଭୋନଗିର ଜିଲ୍ଲା ତୁରକାପଲ୍ଲି ଥାନା ମାଧବପୁର ଗାଁର ଇଟାଭାଟି ପାଖରେ କୁଡ଼ିଆ କରି ରହୁଥିଲେ। ଗତ ୧୧ ତାରିଖ ସକାଳେ କଦମ୍ବଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଇଟାଭାଟି ମାଲିକ ତାଙ୍କୁ ସେଠାକାର ଡାକ୍ତରଖାନାକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ କଦମ୍ବଙ୍କ ମୃତ୍ୟୁ ହୋଇଥିଲା। କଦମ୍ବଙ୍କ ସ୍ତ୍ରୀ ଉଷା ତାଙ୍କର ଦୁଇ ପୁଅଝିଅ ଶବବାହକ ଗାଡ଼ିରେ ଶବ ଧରି ଗାଁକୁ ଫେରିଥିଲେ। କଦମ୍ବ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ସ୍ତ୍ରୀ ଉଷା ଉପରେ ଦୁଇ ପିଲାଙ୍କ ବୋଝ। ଏନେଇ କୋମନା ତହସିଲଦାର ପୂର୍ଣାନନ୍ଦ ପଟେଲ ଓ ଉପଜିଲ୍ଲପାଳ ତରଣୀସେନ ନାଏକଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/98dcf852-fc53-4100-aeb4-12774c038732.jpg)